କେନ୍ଦ୍ରାପଡା/ଭଦ୍ରକ: ଦୁଇଟି ସଡ଼କ ଦୁର୍ଘଟଣାରେ ଆଜି ୪ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡା ସଦର ଥାନା ପାରାଦ୍ୱୀପ -ଚଣ୍ଡିଖୋଲ ୫୩ନଂ ଜାତୀୟ ରାଜପଥର ଅଳାବାଙ୍କ ଛକ ନିକଟରେ ଏକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମର ତ୍ରୀଲୋଚନ ମହାପାତ୍ରଙ୍କ ପୁଅ ଭବାନୀଶଙ୍କର(୪୦) ଓ ଚାନ୍ଦବାଲି ଥାନା ଅନ୍ତର୍ଗତ ବିଜୟ ନଗର ଗ୍ରାମର ଦୟାନିଧି ଦାସଙ୍କ ପୁଅ ଅଜୟ(୩୬) ହରିଭକ୍ତପୁର ଗ୍ରାମରେ ବୁଧବାର ରାତିରେ ହୋଇଥିବା ଏକ ଉତ୍ସବରେ ଯୋଗଦେଇ ଗୁରୁବାର ସକାଳ ୬ଟାରେ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଅଳାବାଙ୍କ ଛକ ନିକଟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ତେଲ ଟ୍ୟାଙ୍କର ନଂ ( ଓଡି ୧୫ ଏନ ୮୮୩୪) ତାଙ୍କ ଉପରକୁ ମାଡି ଯାଇଥିଲା।
ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକୋ କରିବାରୁ ଉଭୟ ପଟରୁ ଚଳାଚଳ କରୁଥିବା ଶହଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ଘଟଣାସ୍ଥଳରେ ଡେରାବିଶ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ଥାନା ଅଧିକାରୀ କିଶୋର ଚନ୍ଦ୍ର ତରାଇ, ସଦର ଥାନା ଅଧିକାରୀ ସରୋଜ କୁମାର ସାହୁ, ଏସଆଇ ପ୍ରଦୋଷ କୁମାର ପଟ୍ଟନାୟକଙ୍କ ସମେତ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରି ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟ ରେ ଏହି ଦୁର୍ଘଟଣା ଘଟିଛି।
ରାଜପଥ ରେ ରାସ୍ତା ମରାମତି ପାଇଁ ୱାନ ୱେ କରାଯାଇଅଛି। ଆଜି ଦୁଇ ଜଣ ଯୁବକ ଭଦ୍ରକ ଆସୁଥିବା ବେଳେ ବିଷ୍ଣୁପୁର ଛକ ନିକଟରେ ମୋଟର ସାଇକେଲଟି ଟ୍ରକସହ ଧକ୍କା ଦେଇଥିଲା । ଘଟଣାସ୍ଥଳ ରେ ଦୁଇ ଜଣ ବାଇକ ଆରୋହୀଙ୍କ ର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଧାମନଗର ଥାନା ଅର୍ନ୍ତଗତ ତାଳପଦା ଗାଁ ର ଦୀପ୍ତି ରଞ୍ଜନ ଧଳ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ରଙ୍ଗରାଜପୁର ଅଞ୍ଚଳର ପ୍ରଶାନ୍ତ ସ୍ୱାଇଁ ବୋଲି ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ପରେ ପୁଲିସ ସେମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଛି।










