ଅନୁଗୁଳ : ଜରପଡ଼ା ଥାନା ଅନ୍ତର୍ଗତ ନାଉପଦା ଗାଁରେ ଆଜି ପୁଲିସ ଚଢ଼ାଉ କରି ୩୪ଟି ହାତ ତିଆରି ବୋମା ଜବତ୍ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି। ପୁଲିସ ସୁଚନା ମୁତାବକ, ଆଜି ଜରପଡା ପୁଲିସ ପାଟ୍ରୋଲିଂ କରିବାକୁ ଯାଉଥିବା ବେଳେ ଏକ ବିଶେଷ ସୁତ୍ରରୁ ଖବର ମିଳିଲା ନାଉପଦା ଗାଁ ର ଧିରେନ୍ ବିଶ୍ୱାଳ (୪୨) ବନ୍ୟଜନ୍ତୁ ଶିକାର କରିବା ଉଦ୍ଦେଶ୍ୟରେ ହାତ ତିଆରି ବୋମା ଓ ପୋଟଖା ରଖିଛନ୍ତି। ତେବେ ଆଜି ଦିବା ୨ଘଟିକା ବେଳେ ଜରପଡା ଆଇଆଇସିଙ୍କ ନିର୍ଦ୍ଦେଶ ଅନୁସାରେ ନାଉପଦା ଛକରେ ଧିରେନ ବିଶ୍ୱାଳଙ୍କର ଥିବା ଗ୍ରୋସରୀ ଓ ଜଳଖିଆ ଦୋକାନରେ ପୁଲିସ ଚଢ଼ାଉ କରିଥିଲା। ଚଢ଼ାଉ କରିବା ପରେ ଅଭିଯୁକ୍ତଙ୍କ ଦୋକାନରୁ ବନ୍ୟଜନ୍ତୁ ଶିକାର ଉଦ୍ଦେଶ୍ୟରେ ରଖାଯାଇଥିବା ହାତ ତିଆରି ୩୪ଟି ବୋମା ପୋଟାଖା ମିଳିଥିଲା। ଯାହାକି ତାଙ୍କ ପାଖରେ କାନୁନ୍ ମୁତାବକ କୌଣସି ଲାଇସେନ୍ସ ନଥିଲା। ଅଭିଯୁକ୍ତ ଉପରୋକ୍ତ ଅପରାଧ କରିଥିବା ପ୍ରାଥମିକ ଭାବେ ପ୍ରମାଣିତ ହେଉଥିବାରୁ ତାଙ୍କ ବିରୋଧରେ ବେଆଇନ୍ ବୋମା ତିଆରି ଅଭିଯୋଗରେ ପୁଲିସ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଧୀରେନ୍ ବିଶ୍ୱାଳଙ୍କୁ ଗିରଫ କରିଥିଲା। ଏହି ଚଢାଉରେ ଏସ୍ଆଇ ବି.ଆର. ବେହେରା, ଏଏସ୍ଆଇ ସି.ସି. ମହାନ୍ତି, କନେଷ୍ଟବଳ ଏମ୍ଆର ନାୟକ, ମମତା ସାହୁ, କାମୁରା ପ୍ରଧାନଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।










