କେନ୍ଦୁଝର: କିଛିଦିନର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡକୁ ପଶିଆସିଛନ୍ତି ୩୦ ହାତୀ । ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ପଶି ଆସିଛନ୍ତି ହାତୀପଲ l ଏବେ ହାତୀପଲ ବଡ଼ଦେଉଳି ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି l ଏହି ହାତୀପଲରେ ୩୦ରୁ ଉର୍ଦ୍ଧ୍ୱ ହାତୀ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି l କେନ୍ଦୁଝର ଜିଲ୍ଲାରେ ରହଣୀ ସମୟରେ ଶତାଧିକ ଘର ଭାଙ୍ଗିବା ସହ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି ହାତୀ ପଲ l ପୂର୍ବରୁ ହାତୀପଲ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଥିଲା। ଘର ଭାଙ୍ଗି ବର୍ଷା ଦିନ ପାଇଁ ଲୋକଙ୍କ ସଞ୍ଚିତ ଧାନ ଚାଉଳ ଖାଇବା ସହିତ ବ୍ୟାପକ ଫସଲ ନଷ୍ଟ କରିଥିବା ଘଟଣା ଏବେବି ଲୋକଙ୍କ ମନରୁ ଲିଭି ନ ଥିଲା ବେଳେ ପୁଣି ହାତୀପଲର ଉପସ୍ଥିତି ଲୋକଙ୍କ ପାଇଁ ଅକଳିଆ ପରିସ୍ଥିତି ସାଙ୍ଗକୁ ଆତଙ୍କିତ ସ୍ଥିତି ସୃଷ୍ଟି କରିଛି। ତେବେ ହାତୀପଲ ଉପରେ ବନବିଭାଗ ସତର୍କ ଦୃଷ୍ଟି ରଖିଥିବା ବେଳେ ହାତୀ ଘଉଡାଇବା ପାଇଁ ନିୟୋଜିତ କର୍ମଚାରୀମାନେ ସଜାଗ ରହିଥିବା ଜଣାପଡ଼ିଛି ।










