ଚାନ୍ଦପୁର: ହାଟ ବରଡ଼ି ମାଗା ସୁବୁଦ୍ଧି ହତ୍ୟା ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଙ୍ଗୀ ଥାନା ପୁଲିସ । ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ହାଟ ବରଡ଼ି ଗ୍ରାମର ଅବନୀ ରାଉତରାୟ(୨୭), ନଣ୍ଡୁ ରାଉତରାୟ (୩୧) ଓ ଅକ୍ଷୟ ରାଉତରାୟ (୩୮) । ଗତ ୧୩ ତାରିଖ ହାଟ ବରଡ଼ି ଗ୍ରାମର ମାଗା ସୁବୁଦ୍ଧି ସହ ଅଭିଯୁକ୍ତମାନଙ୍କର ସାମାନ୍ୟ କଥା କଟାକଟିକୁ ନେଇ ଘଟଣା ଉଗ୍ରରୂପ ଧାରଣ କରିଥିଲା । ଅଭିଯୁକ୍ତମାନେ ମାଗା ସୁବୁଦ୍ଧି (୨୭)ଙ୍କୁ ହତ୍ୟା କରି ରେଳ ଲାଇନ ଉପରେ ପକାଇ ଦେଇ ରେଳ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଦର୍ଶାଇବାକୁ ଅପଚେଷ୍ଟା କରିଥିଲେ । ହେଲେ ସ୍ଥାନୀୟ ଲୋକେ ଏହି ଘଟଣାକୁ ନେଇ କୁହୁଡ଼ିଠାରେ ଗତ୧୫ ତାରିଖ ଦିନ ଜାତୀୟ ରାଜପଥ ଅବରୋଧ କରିବା ସହ ପରିବାର ପକ୍ଷରୁ ହତ୍ୟାକାଣ୍ଡଜନିତ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ ଟାଙ୍ଗୀ ଆଇଆଇସି ସୁଶାନ୍ତ କୁମାର ବେହେରା ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲେ । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ ସହ ପୁଲିସ ତଦନ୍ତକୁ ଜୋରଦାର କରିଛି ।










