28.1 C
Bhubaneswar
Friday, April 3, 2026
Homeଓଡିଶା+୩ ନାମଲେଖା ପ୍ରକିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

+୩ ନାମଲେଖା ପ୍ରକିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ଵିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ : ଉଚ୍ଚଶିକ୍ଷା ମନ୍ତ୍ରୀ

ବିଭାଗର ଏହି ନିଷ୍ପତ୍ତି ଦ୍ୱାରା ଅନେକ ଛାତ୍ରଛାତ୍ରୀମାନେ ଉପକୃତ ହେବେ : ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର : ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ +୩ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରି +୩ ପାଠ୍ୟକ୍ରମରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଆଡ଼ମିସନ୍‌ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ ବୋଲି ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ।

ଶ୍ରୀ ସୂରଜ କହିଛନ୍ତି ଯେ, +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଗତ ଅଗଷ୍ଟ ମାସ ୧୨ ତାରିଖରୁ ଆରମ୍ଭ ହୋଇଛି ଏବଂ ଏହି ପ୍ରକିୟା ଆସନ୍ତା ଅଗଷ୍ଟ ୨୬ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମ୍ବନ୍ଧୀୟ ଏକ ଗାଇଡ଼ଲାଇନ୍‌ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ହୋଇଥିଲା ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀମାନେ ଦ୍ଵିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଉଲ୍ଲେଖ ଥିଲା । ଏହି ସମ୍ବନ୍ଧୀୟ ସୂଚନା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଆଡ଼ମିସନ ପ୍ରକ୍ରିୟା ଆରମ୍ଭରୁ କମନ୍‌ ପ୍ରସ୍ପେକ୍ଟସ୍‌- ୨୦୨୪-୨୫ ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଜଣାଇ ଦିଆଯାଇଥିଲା ।

କିନ୍ତୁ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବାପରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପକ୍ଷରୁ ଗାଇଡ଼ଲାଇନ୍‌ ରେ ସଂଶୋଧନ କରି ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଥିବା ଛାତ୍ରଛାତ୍ରୀଙ୍କୁ ନିଜ ମନପସନ୍ଦର କଲେଜ୍‌ ଓ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଉ ଥରେ ଏକ ସୁଯୋଗ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗକୁ ଅନୁରୋଧ କରାଯାଇଥିଲା । ଏହି ସମ୍ବନ୍ଧରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ନିଜର ନିଷ୍ପତ୍ତିକୁ ବଦଳାଇଛି ଏବଂ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ୍‌ରେ ସଂଶୋଧନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇସାରିଥିବା ଛାତ୍ରଛାତ୍ରୀମାନେ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଥରେ ଆବେଦନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ଆଡ଼ମିସନ ପ୍ରକ୍ରିୟାରେ ହୋଇଥିବା ଏହି ସଂଶୋଧନ ଅନେକ ଛାତ୍ରଛାତ୍ରୀମାନଙ୍କୁ ଆଉ ଏକ ନୂତନ ସୁଯୋଗ ପ୍ରଦାନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଆମ ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ରାଜ୍ୟ ତଥା ଦେଶର ଭବିଷ୍ୟତ । ତାଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଏହି ନିଷ୍ପତ୍ତି ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ମୋର ଆଶା ଓ ବିଶ୍ୱାସ ।

ଆଜିର ଏହି ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଖୁସିର ଲହର ପରିଲକ୍ଷିତ ହୋଇଛି । ଅନେକ ଛାତ୍ରଛାତ୍ରୀ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking