– ୭ ବୁଝାମଣା ଉପରେ ସହମତ
– ରୁଷ୍ ନାଗରିକଙ୍କୁ ୩୦ ଦିନିଆ ମାଗଣା ଇ-ପର୍ଯ୍ୟଟକ ଭିସା ଦେବ ଭାରତ
– ଭାରତ-ରୁଷ୍ ମିଳିତ ଭାବେ ଉତ୍ପାଦନ କରିବେ ୟୁରିଆ
– ଭାରତ ଓ ରୁଷ୍ ମିଳିତ ଭାବେ ନିର୍ମାଣ କରୁଛନ୍ତି ସର୍ବବୃହତ୍ ଭାରତୀୟ ଆଣବିକ ପ୍ଲାଣ୍ଟ୍
– ଦ୍ୱିପାକ୍ଷିକ ବ୍ୟବସାୟକୁ ୬୦ ଆରବ ଡଲାରରୁ ୧୦୦ ଆରବ ଡଲାରକୁ ବୃଦ୍ଧି ଲକ୍ଷ୍ୟ
– ପ୍ରସ୍ତୁତି ପଥେ ନୂଆ ଅନ୍ତର୍ଜାତୀୟ ରୁଟ୍: ବେଲାରୁଷ୍ରୁ ସିଧାସଳଖ ହିନ୍ଦ୍ ମହାସାଗର
– ଭାରତରେ ଲଞ୍ଚ୍ ହେବ ରୁଷ୍-ଟୁଡେ ଚ୍ୟାନେଲ୍
-ଜାତିସଂଘରେ ଭାରତର ସ୍ଥାୀୟ ସଦସ୍ୟତାକୁ ରୁଷର ସମଥ
ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଥିବା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଉଭୟ ଆଜି ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ୍ ହାଉସ୍ରେ ୨୩ତମ ଭାରତ-ରୁଷ୍ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ ପୂର୍ବକ ବ୍ୟାପକ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପରେ ପରେ ଉଭୟ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ ମଧ୍ୟ କରିଥିଲେ ଏବଂ ମିଳିତ ବିବୃତି ଜାରି କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆତଙ୍କବାଦ ଠାରୁ ଆରମ୍ଭ କରି ୟୁକ୍ରେନ୍ରେ ଶାନ୍ତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମୋଦୀ କହିଛନ୍ତି ଯେ, ‘ଠିକ୍ ୨୫ ବର୍ଷ ପୂର୍ବେ ପୁତିନ୍ ଭାରତ ଏବଂ ରୁଷ୍ ମଧ୍ୟରେ ରଣନୈତିକ ଭାଗିଦାରୀର ଫାଉଣ୍ଡେସନ୍ ସ୍ଥାପନ କରିଥିଲେ। ପୁତିନ୍ଙ୍କ ଭଳି ବନ୍ଧୁ ଏହି ସମ୍ପର୍କକୁ ପ୍ରାଥମିକତା ଦେଇଆସିଛନ୍ତି ଏବଂ ଭାରତ ସହ ରୁଷ୍ର ପାରସ୍ପରିକ ସମ୍ପର୍କକୁ ଏକ ନୂଆ ଶିଖରରେ ପହଞ୍ଚାଇଛନ୍ତି। ଭାରତ ପ୍ରତି ଏପରି ଗଭୀର ବନ୍ଧୁତା ଏବଂ ଅତୁଟ ପ୍ରତିବଦ୍ଧତା ପାଇଁ ବନ୍ଧୁ ତଥା ରାଷ୍ଟ୍ରପତି ପୁତିନଙ୍କୁ ହୃଦୟରୁ କୃତଜ୍ଞତା। ବିଶ୍ୱରେ ଅନେକ ଭଲ ଏବଂ ଖରାପ ପରିସ୍ଥିତି ଆସିଛି। ମାନବତାକୁ ସଙ୍କଟ ଦେଇ ଗତି କରିବାକୁ ପଡ଼ିଛି। ଏସବୁ ମଧ୍ୟରେ ଭାରତ-ରୁଷ ବନ୍ଧୁତା ଏକ ଧ୍ରୂବତାରା ଭଳି ରହିଛି। ଆମେ ଭାରତ-ରୁଷ ମଧ୍ୟରେ ଆର୍ôଥକ ସହଯୋଗ କାର୍ଯ୍ୟକ୍ରମକୁ ୨୦୩୦ ପର୍ଯ୍ୟନ୍ତ ଜାରି ରଖିବା ଲାଗି ସହମତ ହୋଇଛୁ। ମୋଦୀଙ୍କ କହିବାନୁସାରେ ନିକଟରେ ଭାରତ ରୁଷ୍ରେ ନିଜର ୨ଟି ଦୂତାବାସ ଖୋଲିଛି। ଏହାଦ୍ୱାରା ଘନିଷ୍ଠତା ବୃଦ୍ଧି ପାଇବ। ଭାରତ ପକ୍ଷରୁ ରୁଷ ନାଗରିକମାନଙ୍କ ପାଇଁ ୩୦ ଦିନିଆ ଇ-ପର୍ଯ୍ୟଟକ ଭିସା ସେବ।। ଆରମ୍ଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୟୁକ୍ରେନ୍ ସହ ରୁଷ୍ର ଯୁଦ୍ଧ ପ୍ରସଙ୍ଗ ଉଠାଇ ମୋଦୀ କହିଛନ୍ତି ଯେ, ଭାରତ ଆରମ୍ଭରୁ ୟୁକ୍ରେନ ପ୍ରସଙ୍ଗରେ ଶାନ୍ତିର ପକ୍ଷ ରଖିଛି। ଭାରତ ଏହି ମାମଲାର ଶାନ୍ତିପୂର୍ଣ୍ଣ ଏବଂ ସ୍ଥାୟୀ ସମାଧାନ ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପର ସ୍ୱାଗତ କରୁଛି। ଭାରତ ସର୍ବଦା ନିଜର ଯୋଗଦାନ ଦେବାକୁ ପ୍ରସ୍ତୁତ ରହିଛି ଏବଂ ଭବିଷ୍ୟତରେ ବି ଏହା ଜାରି ରହିବ। ସେହିପରି ମୋଦୀ ଆତଙ୍କବାଦ ବିରୋଧରେ ରୁଷ୍ର ସମର୍ଥନକୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି।
ଅନ୍ୟପକ୍ଷେ ପୁତିନ୍ ମଧ୍ୟ ନିଜ ବିବୃତିରେ କହିଛନ୍ତି ଯେ, ରୁଷ ଏବଂ ଭାରତ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ମଜଭୁତ। ଆର୍ôଥକ କ୍ଷେତ୍ରଠାରୁ ଆରମ୍ଭ କରି ସମସ୍ତ କ୍ଷେତ୍ରରେ ଆମ ସମ୍ପର୍କ ଅଧିକ ଦୃଢ଼ ହେଉଛି। ଆମେ ଟ୍ରେନ, ନିବେଶ ଏବଂ ବୈଷୟିକ କ୍ଷେତ୍ରକୁ ନେଇ ଆଲୋଚନା ବୃଦ୍ଧି କରୁଛୁ। ରୁଷ ଏବଂ ଭାରତୀୟ ଅର୍ଥନୈତିକ ସହଯୋଗ ସଂଗଠନ ପରସ୍ପର ସହିତ ମିଳିତ ହୋଇ କାମ କରୁଛନ୍ତି। ଭାରତର ବିକାଶ ପାଇଁ ଜରୁରୀ ଥିବା ତୈଳ, ଗ୍ୟାସ ଭଳି ସମସ୍ତ ସାମଗ୍ରୀ ଦେବାକୁ ଆମେ ପ୍ରସ୍ତୁତ। ଶକ୍ତି କ୍ଷେତ୍ର ପାଇଁ ରୁଷ୍ ଭାରତକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ପୁତିନ୍ ସୂଚନା ଦେଇ କହିଛନ୍ତି ଯେ, ରୁଷରେ ଭାରତୀୟ ସିନେମାର ବହୁତ ଚାହିଦା ରହିଛି। ଭାରତୀୟ ମୁଦ୍ରାର ବ୍ୟବହାର ପରିସର ବୃଦ୍ଧି ପାଇଛି। ବ୍ରିକ୍ସ ପାଇଁ ମଧ୍ୟ ଭାରତ ବହୁତ ପ୍ରଚେଷ୍ଟା କରିଛି। ବାଣିଜ୍ୟ ଏବଂ ବୈଷୟିକ କ୍ଷେତ୍ର ଆମର ପ୍ରମୁଖ ପ୍ରାଥମିକତା। ଆମେ ରୁଷ ଏବଂ ଭାରତର ନାଗରିକଙ୍କ ପାଇଁ ପାରସ୍ପରିକ ସମ୍ପର୍କକୁ ମଜଭୁତ କରିବାର ପ୍ରୟାସ ଜାରି ରଖିବୁ। ପୁତିନ୍ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଉଭୟ ଭାରତ ଏବଂ ରୁଷ୍ ସବୁଠୁ ବଡ଼ ଭାରତୀୟ ଆଣବିକ ପ୍ଲାଣ୍ଟର ନିର୍ମାଣ ପ୍ରକଳ୍ପ ଉପରେ କାମ କରୁଛନ୍ତି। ୬ଟି ରିଆକ୍ଟର ମଧ୍ୟରୁ ୩ଟି ପୂର୍ବରୁ ଏନର୍ଜୀ ନେଟୱର୍କ ସହିତ ଜୋଡ଼ି ହୋଇସାରିଛି। ଆଉ ୪ଟି ରିଆକ୍ଟର ଏବେ ନିର୍ମାଣାଧୀନ ରହିଛି। ଏହା ଭାରତର କାରଖାନା ଏବଂ ଘରକୁ କ୍ଲିନ୍ ଏନର୍ଜୀ ଯୋଗାଇବାରେ ସହଯୋଗ କରିବ। ରୁଷ ଏବଂ ଭାରତ ସମାନ ବିଚାରାଧାରା ରଖୁଥିବା ଦେଶଗୁଡ଼ିକ ସହିତ ସ୍ୱତନ୍ତ୍ର ଏବଂ ଆତ୍ମନିର୍ଭର ବିଦେଶ ନୀତିର ସଞ୍ଚାଳନ କରୁଛନ୍ତି। ଆମେ ମିଳିତ ଜାତିସଂଘର ଆଇନର ମୁଖ୍ୟ ସିଦ୍ଧାନ୍ତର ସୁରକ୍ଷା କରୁଛୁ। ପୁତିନ୍ ରୁଷ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବହୁତ ମଜଭୁତ ବୋଲି କହିଛନ୍ତି। ପୁତିନ୍ ସିଧାସଳଖ ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି।
ହାଇଦ୍ରାବାଦ୍ ହାଉସ୍ରେ ହୋଇଥିବା ଆଲୋଚନାକ୍ରମେ ଉଭୟ ମୋଦୀ ଏବଂ ପୁତିନ୍ ପ୍ରାୟ ୭ଟି ବୁଝାମଣା ଉପରେ ସହମତ ହୋଇଛନ୍ତି। ଏହା ମଧ୍ୟରେ ଉଭୟ ଦେଶ ମିଳିତ ଭାବେ ୟୁରିଆ ଉତ୍ପାଦନ କରିବା ପ୍ରସଙ୍ଗ ସହ ସହଯୋଗ ଓ ପ୍ରବାସୀ ପ୍ରସଙ୍ଗ, ସ୍ୱାସ୍ଥ୍ୟ, ମେଡିକାଲ ଶିକ୍ଷା, ଖାଦ୍ୟ ସୁରକ୍ଷା, ଜାହାଜ ନିର୍ମାଣ, ଅସ୍ଥାୟୀ ଶ୍ରମ କ୍ରିୟାକଳାପ, ସାମୁଦ୍ରିକ ସହଯୋଗ ଭଳି ପ୍ରସଙ୍ଗ ସାମିଲ ଅଛି। ଏତଦ୍ବ୍ୟତୀତ ବ୍ୟବସାୟିକ ଆଲୋଚନାରେ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସମ୍ପ୍ରତି ଦ୍ୱିପାକ୍ଷିକ ବ୍ୟବସାୟ ପରିମାଣ ୬୦ ଆରବ ଡଲାର ରହିଥିବା ବେଳେ ଆଗକୁ ଏହାକୁ ୧୦୦ ଆରବ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ସ୍ଥିର କରାଯାଇଛି। ଏତଦ୍ବ୍ୟତୀତ ଏକ ନୂଆ ଅନ୍ତର୍ଜାତୀୟ ମାର୍ଗ ଉନ୍ମୁକ୍ତ କରିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହାଦ୍ୱାରା ବେଲାରୁଷ୍ରୁ ସିଧାସଳଖ ସାମଗ୍ରୀ ହିନ୍ଦ୍ ମହାସାଗରରେ ପହଞ୍ôଚପାରିବ। ସେହିପରି ଭାରତରେ ଏକ ରୁଷ୍-ଟୁଡେ ଚ୍ୟାନେଲ୍ର ମଧ୍ୟ ଉନ୍ମୋଚନ କର।।ଯିବା ନେଇ ନିଷ୍ପତ୍ତି ନିଆଯାଇଛି।










