ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସେମାନଙ୍କୁ ନୂଆ ଢାଞ୍ଚାରେ ପରୀକ୍ଷା ଦେବାକୁ ପଡ଼ିବ । ୨୦୨୫ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ପାଇଁ ବଦଳିଛି ପ୍ରଶ୍ନପତ୍ର ଢାଞ୍ଚା । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନପତ୍ର ଢାଞ୍ଚାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷାର୍ଥୀଙ୍କ ପାଇଁ ପ୍ରଶ୍ନପତ ଢ଼ାଞ୍ଚାରେ ପରିବର୍ତ୍ତନ କରିଛି । ଏଣିକି ଛାତ୍ରଛାତ୍ରୀଙ୍କୁ ୮୦:୨୦ ଅନୁପାତରେ ଥିଓରୀ ଓ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ । ନନ-ପ୍ରାକ୍ଟିକାଲ ବିଷୟରେ ୮୦ ଥିଓରୀ ଏବଂ ୨୦ ଇଣ୍ଟରନାଲ ପରୀକ୍ଷା କରାଯିବ । ନନ-ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଫୁଲ ମାର୍କ ୮୦ ଏବଂ ପାସ ମାର୍କ ୨୪ ରଖାଯାଇଛି । ୨୦୨୩ରେ ପଞ୍ଜୀକରଣ ଓ ୨୦୨୫ରେ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।









