ନୂଆଦିଲ୍ଲୀ: ୨୦୨୬ ଆଇପିଏଲର ମିନି ଅକ୍ସନ ଆଜି ଆବୁଧାବିରେ ଅନୁଷ୍ଠିତ ହେବ । ଲଗାତାର ତୃତୀୟ ଥର ପାଇଁ ଆଇପିଏଲ ଅକ୍ସନ ଭାରତ ବାହାରେ ହେଉଛି । ତେବେ ଆଇପିଏଲ ନିଲାମ ତାଲିକାରେ ଯୋଡି ହୋଇଛି ୨ ଓଡିଆ କ୍ରିକେଟରଙ୍କ ନାଁ । ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡିଛି ଆଇପିଏଲ ନିଲାମ ତାଲିକାରେ ବିସିସିଆଇ । ଉଭୟଙ୍କ ବ୍ରେସ ପ୍ରାଇସ ରହିଛି ୩୦ ଲକ୍ଷ ଟଙ୍କା । ୨ ଓଡିଆ କ୍ରିକେଟରଙ୍କ ସମେତ ମୋଟ ୧୯ ଜଣଙ୍କ ନାଁ ଯୋଡିଛି ବିସିସିଆଇ । ୨୦୨୪ରେ ପ୍ରଥମ ଥର ପାଇଁ ଆଇପିଏଲ ନିଲାମ ଦୁବାଇ ଅନୁଷ୍ଠିତ ହୋଇଥିବା ବେଳେ ୨୦୨୫ ସିଜିନର ମେଗା ନିଲାମ ନଭେମ୍ବର ୨୦୨୪ରେ ଜେଡା ଠାରେ ଅନୁଷ୍ଠିତ ହୋଇଥିଲା । ଫ୍ରାଞ୍ଚାଇଜଗୁଡିକୁ ୨୦୨୫ ସିଜିନର ସ୍କ୍ୱାଡରୁ କେଉଁ ଖେଳାଳୀଙ୍କୁ ରିଟେନ କିମ୍ବା ରିଲିଜ କରିବାକୁ ହେବ ସେମାନଙ୍କର ତାଲିକା ବିସିସିଆଇକୁ ଦେଇଛନ୍ତି । ଏହା ପରେ ବୋର୍ଡ ପକ୍ଷରୁ ସେମାନଙ୍କୁ ଖେଳାଳୀଙ୍କ ପଞ୍ଜୀକୃତ ତାଲିକା ପଠାଯାଇଛି । ଏଥିରୁ ଏକ ସର୍ଟ ଲିଷ୍ଟ ପ୍ରସ୍ତୁତ ହୋଇଛି । ଏହି ତାଲିକାରୁ ଅନ୍ତିମ ରୂପ ଦେଇ ନିଲାମ ସ୍ଥିର କରାଯିବ ।









