ଦିସପୁର: ଆସାମ ବିଧାନସଭାରେ ଦୀର୍ଘବର୍ଷ ଧରି ପ୍ରଚଳିତ ୨ ଘଣ୍ଟିଆ ନମାଜ ବିରତି ବ୍ୟବସ୍ଥାକୁ ଶୁକ୍ରବାର ଉଚ୍ଛେଦ କରିଦିଆଯାଇଛି। ବିଧାନସଭା ପକ୍ଷରୁ ଏ ନେଇ ସାମାଜିକ ଗଣମାଧ୍ୟମ ଏକ୍ସ’ ଜରିଆରେ ସୂଚନା ଦିଆଯାଇଛି। ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହାଦ୍ୱାରା ୨ ଘଣ୍ଟା ସମୟ ବଞ୍ଚିବ ଏବଂ ଗୃହକାର୍ଯ୍ୟରେ ଉତ୍ପାଦନ ଶକ୍ତି ବୃଦ୍ଧି ପାଇବ ବୋଲି ହିମନ୍ତ କହିଛନ୍ତି। ପ୍ରକାଶ, ୧୯୩୭ ରେ ମୁସଲିମ ଲିଗ୍ ସରକାର ସମୟରେ ସୟିଦ୍ ସାଦୁଲ୍ଲାଙ୍କ ଦ୍ୱାରା ଆସାମ ବିଧାନସଭାରେ ପ୍ରତି ଶୁକ୍ରବାର ନମାଜ ପାଠ ପାଇଁ ମୁସଲିମ୍ ବିଧାୟକମାନଙ୍କ ଲାଗି ୨ ଘଣ୍ଟିଆ ଜୁମ୍ମା ବିରତି ଦିଆଯିବାର ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ଫଳରେ ୨ ଘଣ୍ଟା ପାଇଁ ଗୃହକୁ ସ୍ଥଗିତ ରଖାଯାଉଥିଲା। କିନ୍ତୁ ଏବେ ଏହି ବ୍ୟବସ୍ଥାକୁ ବିଧାନସଭା ପକ୍ଷରୁ ହଟାଇ ଦିଆଯାଇଛି। ଫଳରେ ଏଣିକି ମୁସଲିମ୍୍ ବିଧାୟକଙ୍କୁ ଶୁକ୍ରବାର ନମାଜ ପାଠ ପାଇଁ ଗୃହ ପକ୍ଷରୁ ୨ ଘଣ୍ଟିଆ ବିରତିର ସୁବିଧା ପ୍ରଦାନ କରାଯିବ ନାହିଁ। ତେବେ ଗୋଟିଏ ପଟେ ଆସାମରେ ପ୍ରକୃତ ଧର୍ମନିରପେକ୍ଷତା ସ୍ଥାପନ ଦିଗରେ ଏହି ନିଷ୍ପତ୍ତି ଏକ ମାଇଲଖୁଣ୍ଟ ବୋଲି ମତବ୍ୟକ୍ତ କରାଯାଉଥିବା ବେଳେ ଅନ୍ୟପଟେ ବିଧାନସଭାର ଏହି ନିଷ୍ପତ୍ତିକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ଏଆଇୟୁଡିଏଫ ବିଧାୟକ ମଜିବୁର ରହମନ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ଜଘନ୍ୟ ଦଳିତ ଘୃଣାକାରୀ ବ୍ୟକ୍ତି ବୋଲି କହିଛନ୍ତି। ସେ କହିଛନ୍ତି, ପ୍ରତି ଶୁକ୍ରବାର ଆମକୁ ନମାଜ ପଢ଼ିବାକୁ ୨ ଘଣ୍ଟା ମିଳୁଥିଲା। ବିଗତ ୯୦ ବର୍ଷ ଧରି ଅନେକ ମୁଖ୍ୟମନ୍ତ୍ରୀ ଆସିଛନ୍ତି, ହେଲେ ସେମାନଙ୍କୁ କୌଣସି ସମସ୍ୟା ହେଲା ନାହିଁ। କିନ୍ତୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କର କ’ଣ ଅସୁବିଧା ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ନମାଜ ସମୟରେ ସେମାନେ ବିଧାନସଭାରେ ରହିବେ ନାହିଁ ଏବଂ ଦରକାର ପଡ଼ିଲେ ଗୃହରେ ହିଁ ନମାଜ ପାଠ କରାଯିବ ବୋଲି ସେ ଚେତାବନୀ ମଧ୍ୟ ଦେଇଛନ୍ତି।










