ଭୁବନେଶ୍ୱର: ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି । ଆଜି ସଂଧ୍ୟା ୭ଟାରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟାଇ ପାରିବ । ଏନେଇ କମିଶନରେଟ୍ ପୋଲିସ୍ ଭୁବନେଶ୍ୱର – କଟକ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଜାରି ନିର୍ଦ୍ଦେଶ ଅନୁଯାୟୀ, ଉଚ୍ଚ ଶବ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ପୋଲିସର ଅନୁରୋଧ । ମଦ ପିଇ ଗାଡି ଚଳାଇଲେ ଚାଳକ ଅଟକ ସହ ଗାଡି ଜବତ ହେବ । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବେଆଇନ ବାଣ ବିକ୍ରି କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହସ୍ପିଟାଲ, ଶିକ୍ଷାନିଷ୍ଠାନ, କୋର୍ଟ ଓ ମନ୍ଦିର ପାଖରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଖୋଲା ଜାଗାରେ ସବୁଜ ବାଣ ଫୁଟାଇବା ପାଇଁ ବିଶେଷ ଅନୁରୋଧ କରାଯାଇଛି । ଚାଳଘର, ଦୋକାନ, ରାସ୍ତା ଓ ଯାତାୟତ ସ୍ଥାନରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ରୁ କମ୍ ବୟସର ପିଲା ଶବ୍ଦ – ସୃଷ୍ଟି କରୁଥିବା ବାଣ ଫୁଟାଇପାରିବେ ନାହିଁ । ସବୁ ସ୍ଥାନ ଉପରେ ପୋଲିସର କଡା ନଜର ରହିଛି । ନିୟମ ବିରୁଦ୍ଧରେ ଗଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କାଳୀ ପୂଜା ଥିବାରୁ ପୂଜା ମଣ୍ଡପ ଓ ସମ୍ବେଦନଶୀଳ ସ୍ଥାନରେ ପୋଲିସ ମୁତୟନ କରାଯିବ ।










