ତାମିଲନାଡୁ: ତାମିଲନାଡୁରେ ଭୟଙ୍କର ସଡକ ଦୁର୍ଘଟଣା । ତେଙ୍କାସି ଜିଲ୍ଲାରେ ଦୁଇଟି ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଛନ୍ତି । ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନା ଅନୁସାରେ, ଗୋଟିଏ ବସ୍ ମାଦୁରାଇରୁ ଶେନକୋଟାଇ ଯାଉଥିଲା ଏବଂ ଅନ୍ୟଟି ତେଙ୍କାସିରୁ କୋଭିଲପଟ୍ଟି ଯାଉଥିଲା । ଏହି ସମୟରେ ମାଦୁରାଇରୁ ଶେନକୋଟାଇ ଯାଉଥିବା ବସ୍ର ଡ୍ରାଇଭରଙ୍କ ଅବହେଳା ଯୋଗୁଁ ଅନ୍ୟପଟୁ ଆସୁଥିବା ବସ୍ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥଲା । ଧକ୍କାରେ ଉଭୟ ବସ୍ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି । ଘଟଣା ପରେ ଖବର ପାଇ ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ୨୮ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତରଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପୋଲିସ ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ଏପରି ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଶାସନ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପାଳନ କରିବାକୁ ନିବେଦନ କରିଛି ।










