-୧୧ ଜିଲ୍ଲାରେ ୧୦୫୮୪ ନୂଆ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଗତିଶୀଳ କରିବା ନିମନ୍ତେ ରାଜ୍ୟ ସରକାର ଶୁକ୍ରବାର ୩୮୭୮.୮୬କୋଟି ଟଙ୍କାର ୧୭ ନିବେଶ ପ୍ରକଳ୍ପକୁ ସିଙ୍ଗଲ୍ୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୧୧ଟି ଜିଲ୍ଲାରେ ପ୍ରାୟ ୧୦୫୮୪ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ୍ୱିଣ୍ଡୋ ବୈଠକରେ ପ୍ଲାଷ୍ଟିକ୍, ଟେକ୍ସଟାଇଲ୍, ଇଲୋକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ୍ ଓ କେମିକାଲ୍ ଆଦି କ୍ଷେତ୍ରର ୧୭ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ପ୍ଲାଷ୍ଟିକ୍ କ୍ଷେତ୍ରରେ ୬ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି ଯେଉଁଥିରେ ଖୋର୍ଦ୍ଧାରେ ୬୫୦.୨୩ କୋଟି ଟଙ୍କା ବ୍ୟୟରେ ରିସାଇକ୍ଲିଂ ଫ୍ଲେକସ୍ ଆଣ୍ଡ୍ ପେଲେଟ୍ ତିଆରି କାରଖାନା ରହିଛି। ଏହାଦ୍ୱାରା ୬୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।
ସେହିପରି ଖୋର୍ଦ୍ଧାରେ ଏମ୍ଏଏସ୍ ଇଣ୍ଡିଆ କ୍ଲଥିଂ ପ୍ରାଇଭେଟ୍ ଲିମିଟେଡ୍ ଟେକ୍ସଟାଇଲ୍ ପ୍ରୋସେସିଂ ମିଲ୍ ପାଇଁ ୮୮୫ କୋଟି ଟଙ୍କା ନିବେଶ କରିବ ଓ ୧୭୦୦ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଭୁବନେଶ୍ୱର ଲଜିପର୍କ ପ୍ରାଇଭେଟ୍ ଲିମିଟେଡ୍ ୨୧୮.୮୦ କୋଟି ଟଙ୍କା ବ୍ୟୟରେ ଲଜିଷ୍ଟିକ୍ସ ପାର୍କ ନିର୍ମାଣ କରିବ ଓ ଏଥିରେ ୨୭୦୦ ନୂଆ ନିଯୁକ୍ତିର ସମ୍ଭାବନା ରହିଛି । ସେହିପରି, ଏଚ୍ଟିଆଇ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ଏକ ମେଟାଲର୍ଜିକାଲ୍ ସେନ୍ସର୍ ଉତ୍ପାଦନ କେନ୍ଦ୍ର ପାଇଁ ୧୮୮.୪୬ କୋଟି ଟଙ୍କା ନିବେଶ କରିବ ଓ ୪୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏଟିପିଏଲ୍ ୧୧୨ କୋଟି ଟଙ୍କା ବ୍ୟୟରେ କଟକରେ ଏକ ଏଲ୍ଇଡି ଟିଭି ଓ ଆଇଓଟି ଯନ୍ତ୍ର ଉତ୍ପାଦନ କେନ୍ଦ୍ର ସ୍ଥାପିତ କରିବ, ଯାହା ମାଧ୍ୟମରେ ୩୩୦ଜଣ ନିଯୁକ୍ତିର ସୁଯୋଗ ପାଇବେ। ସେହିପରି, ଏସ୍ଏଫ୍ପିଏଲ୍ ସମ୍ବଲପୁରରେ ଥିବା ସ୍ପଞ୍ଜ୍ ଆଇରନ୍ କାରଖାନାର ସମ୍ପ୍ରସାରଣ ନିମନ୍ତେ ୪୦୦କୋଟି ଟଙ୍କା ନିବେଶ କରିବ ଓ ଏହା ଦ୍ୱାରା ଅତିରିକ୍ତ ୩୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।