ରାୟପୁର : ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ । ମୃତ ମାଓବାଦୀଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିଲେ। ଏସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା-ଛତିଶଗଡ଼ ପୁଲିସ୍ ପକ୍ଷରୁ ହୋଇଥିଲା ମିଳିତ ଅପରେସନ୍। ଏହି ସମୟରେ ମାଓବାଦୀ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲେ। ଏଥିରେ ଗତକାଲି ୨ ମହିଳା ମାଓ କାର୍ଡର ନିହତ ହୋଇଥିଲେ। ସେହି ଅପରେସନ ଜାରି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ପୁଣି ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏନକାଉଣ୍ଟରେ ୧୨ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ବଡ଼ ଅପରେସନରେ ମୋଟ ୧୪ ମାଓବାଦୀ ନିହତ ହୋଇଛନ୍ତି। ସେମାନଙ୍କ ପାଖରୁ ବିପୁଳ ପରିମାଣର ଆଇଇଡି ଓ ବନ୍ଧୁକ ଜବତ ହୋଇଛି।