ଇସ୍ଲାମ୍ବାଦ୍: ପାକିସ୍ତାନୀ ସେନା ଗୁଳିରେ ଟଳିଲେ ୧୧ ଆତଙ୍କବାଦୀ । ପାକିସ୍ତାନୀ ସୁରକ୍ଷା ବାହିନୀ ଅଶାନ୍ତ ଉତ୍ତର-ପଶ୍ଚିମ ଖାଇବର ପଖତୁନଖୱା ପ୍ରଦେଶରେ ତିନୋଟି ପୃଥକ୍ ଅପରେସନରେ ୧୧ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ପାକିସ୍ତାନ ସଶସ୍ତ୍ର ବାହିନୀର ମିଡିଆ ଶାଖା ‘ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ’ (ଆଇଏସପିଆର୍) ଅନୁସାରେ, ଡିସେମ୍ବର ୧୭ ଓ ୧୮ରେ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ନିରୋଧୀ ଅଭିଯାନ ଚଲାଯାଇଥିଲା । ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଟ୍ୟାଙ୍କ ଜିଲ୍ଲାରେ ପ୍ରଥମ ଅପରେସନ୍ ଆରମ୍ଭ ହୋଇଥିଲା । ଏଥିରେ ୭ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।
ଦ୍ୱିତୀୟ ଅପରେସନ ଉତ୍ତର ୱଜିରିସ୍ତାନ ଜିଲ୍ଲାର ଦତ୍ତା ଖେଲରେ ଆରମ୍ଭ କରାଯାଇଥିଲା, ଯେଉଁଥିରେ ଦୁଇ ଜଣ ଆତଙ୍କୀ ଟଳିପଡ଼ିଥିଲେ । ଏହିପରି ମୋହମନ୍ଦ ଜିଲ୍ଲାରେ ଆଉ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ କରାଯାଇଛି । ‘ସେଣ୍ଟର ଫର ରିସର୍ଚ୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ ’ ଦ୍ୱାରା ଜାରି ଏକ ରିପୋର୍ଟ ମୁତାବକ, ୨୦୨୪ର ତୃତୀୟ ତ୍ରୈମାସିକ (ଜୁଲାଇ-ସେପ୍େଟମ୍ବର)ରେ ପାକିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଲୋକଙ୍କ ମୃତ୍ୟୁ ହେବା ଏବଂ ଅଭିଯାନରେ ବହୁ ସଂଖ୍ୟକ ଆତଙ୍କବାଦୀ ନିହତ ହେବା ଘଟଣା ଘଟିଛି ।
ଏହି ସମୟ ମଧ୍ୟରେ ରେକର୍ଡ ହୋଇଥିବା ୩୨୮ଟି ଘଟଣାରେ ସାଧାରଣ ନାଗରିକ, ସୁରକ୍ଷା କର୍ମୀ ଏବଂ ଅପରାଧୀଙ୍କ ସମେତ ମୋଟ ୭୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୧୫ ଜଣ ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ନଭେମ୍ବରରେ ପାକିସ୍ତାନ ସୁରକ୍ଷା ବାହିନୀ ଖାଇବର ପଖତୁନଖୱା ଏବଂ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ ସୈନ୍ୟ ଅଭିଯାନ ଆରମ୍ଭ କରିଥିଲେ । ସୁରକ୍ଷା ବାହିନୀ ଗୋଟିଏ ପରେ ଗୋଟିଏ ଦୁଇଟି ଅଭିଯାନ ଚଲାଇଥିଲେ । ଏଥିରେ ୧୨ ଜଣ ଆତଙ୍କୀ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ କୁଖ୍ୟାତ ଆତଙ୍କବାଦୀ ସନା ଓରଫ୍ ବାରୁ ।