24.1 C
Bhubaneswar
Friday, March 20, 2026
Homeଦେଶ ବିଦେଶଏହି ଦେଶରେ ୧୦୨ ଡକାୟତଙ୍କୁ ମୃତ୍ୟୁଦଣ୍ଡ

ଏହି ଦେଶରେ ୧୦୨ ଡକାୟତଙ୍କୁ ମୃତ୍ୟୁଦଣ୍ଡ

କିନ୍‌ସାସା: ଆଫ୍ରିକୀୟ ଦେଶ କଙ୍ଗୋରେ ଡକାୟତମାନେ ଆତଙ୍କ ସୃଷ୍ଟି କରୁଛନ୍ତି। ଏଭଳି ପରିସ୍ଥିତିରେ ଗତ ସପ୍ତାହରେ କଙ୍ଗୋ ସରକାର ଗିରଫ ହୋଇଥିବା ୧୦୨ ଡକାୟତଙ୍କୁ ମୃତ୍ୟୁଦଣ୍ଡାଦେଶ ଅନୁସାରେ ଫାଶୀ ଦେଇଥିଲେ। ଏବେ ଅନ୍ୟ ୭୦ ଅପରାଧୀ ମୃତ୍ୟୁଦଣ୍ଡକୁ ଅପେକ୍ଷା କରିଛନ୍ତି। ଅପରାଧୀଙ୍କ ଫାଶୀକୁ କଙ୍ଗୋ ନ୍ୟାୟ ମନ୍ତ୍ରୀ ନିଶ୍ଚିତ କରିଛନ୍ତି। ସେ ଏକ ବିବୃତିରେ କହିଛନ୍ତି ଯେ, ୧୮ ରୁ ୩୫ବର୍ଷ ବୟସର ଏହି ଅପରାଧୀମାନେ ସହରାଞ୍ଚଳରେ ସଶସ୍ତ୍ର ଡକାୟତି କରିଥିଲେ। ସହରାଞ୍ଚଳ ଡକାୟତଙ୍କୁ ସ୍ଥାନୀୟ ଭାଷାରେ କୁଲୁନା କୁହାଯାଇଥାଏ। ସମସ୍ତ ଅପରାଧୀଙ୍କୁ ଉତ୍ତର-ପଶ୍ଚିମ କଙ୍ଗୋର ଏଜେଙ୍ଗା ଜେଲରେ ଫାଶୀ ଦିଆଯାଇଥିଲା।

ଖବର ଅନୁଯାୟୀ, ଡିସେମ୍ବର ଶେଷରେ ୪୫ଜଣ ସହରାଞ୍ଚ ଡକାୟତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବାବେଳେ ଅନ୍ୟ ୫୭ ଅପରାଧୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଫାଶୀ ଦିଆଯାଇଥିଲା। ଖବର ଅନୁସାରେ କିନ୍‌ସାସାଠାରୁ ଅନ୍ୟ ୭୦ ଜଣ ଅପରାଧୀଙ୍କ ଏକ ବିମାନ ଏଜେଙ୍ଗାରେ ପହଞ୍ଚିଛି। କିନ୍ତୁ ବନ୍ଦୀମାନଙ୍କ ଅବସ୍ଥା ସମ୍ପର୍କରେ ସରକାର କୌଣସି ମନ୍ତବ୍ୟ ଦେଇନାହାନ୍ତି। ଏତେ ସଂଖ୍ୟକ ଅପରାଧୀଙ୍କୁ ଫାଶୀ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ଜନମତ ବିଭାଜିତ ହୋଇଛି। କେତେକ ସହରଗୁଡିକରେ ଶୃଙ୍ଖଳା ଏବଂ ନିରାପତ୍ତାକୁ ପୁନଃସ୍ଥାପିତ କରିବାର ମାଧ୍ୟମ ଭାବରେ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ ଅନ୍ୟମାନେ ଏହା ଆଇନର ଅପବ୍ୟବହାର ତଥା ମାନବିକ ଅଧିକାରର ଉଲ୍ଲଂଘନ ବୋଲି ଅଭିଯୋଗ କରିଛନ୍ତି। ପୂର୍ବ ଗୋମା ସହରର ବାସିନ୍ଦା ଫିଷ୍ଟନ୍ କାକୁଲେ ସିଏନ୍ଏନ୍ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ କାରଣ ଏହା ସହରୀ ଅପରାଧକୁ ଦୂର କରିବାରେ ସାହାଯ୍ୟ କରିବ। ଏବେ ରାତି ୮ଟା ପରେ ଲୋକେ ମୁକ୍ତ ଭାବରେ ବୁଲାବୁଲି କରିପାରୁ ନାହାନ୍ତି। କାରଣ ସମସ୍ତଙ୍କ ମଧ୍ୟରେ କୁଲୁନା ଦଳ ପ୍ରତି ଭୟ ରହିଛି।

ମାନବାଧିକାର କର୍ମୀ ଏସପୋଏର ମୁହିନୁକା ଏତେ ସଂଖ୍ୟକ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବା ବିରୋଧରେ ଚେତାବନୀ ଦେଇଛନ୍ତି ଏବଂ ନ୍ୟାୟିକ ପ୍ରକ୍ରିୟା ତଥା ମୌଳିକ ଅଧିକାରକୁ ସମ୍ମାନ ଦେବାକୁ କହିଛନ୍ତି। ସେ ଆଶଙ୍କା କରିଛନ୍ତି ଯେ, ରାଜନୈତିକ ଚାପ ଯୋଗୁ ଅନ୍ୟାୟ ଭାବେ ଦୋଷୀ ସାବ୍ୟସ୍ତ କରାଯାଇ ବହୁ ମନମୁଖୀ ହତ୍ୟା ଘଟାଇପାରେ। ସେ କହିଛନ୍ତି, ଡିଆରସିରେ ପରିସ୍ଥିତି ଜଟିଳ ରହିଛି। ଏନେଇ ବହୁମୁଖୀ ଆଭିମୁଖ୍ୟର ଆବଶ୍ୟକତା ରହିଛି। କଙ୍ଗୋରେ ମୃତ୍ୟୁଦଣ୍ଡ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ୧୯୮୧ରେ ଦେଶ ଏହାକୁ ରଦ୍ଦ କରିଦେଇଥିଲା, କିନ୍ତୁ ୨୦୦୬ରେ ଏହାକୁ ପୁଣି କାର୍ଯ୍ୟକାରୀ କରାଯାଇଥିଲା। ଶେଷ ଫାଶୀଦଣ୍ଡ ୨୦୦୩ରେ ଦିଆଯାଇଥିଲା। କିନ୍ତୁ ମାର୍ଚ୍ଚ ୨୦୨୪ରେ କଙ୍ଗୋ ସରକାର ମୃତ୍ୟୁଦଣ୍ଡାଦେଶ ପୁଣି ଆରମ୍ଭ କରିବାକୁ ଘୋଷଣା କରିଥିଲେ। ତଥାପି ଦେଶଦ୍ରୋହରେ ଦୋଷୀ ସାବ୍ୟସ୍ତ ହୋଇଥିବା ସାମରିକ କର୍ମଚାରୀଙ୍କ ପାଇଁ ମୃତ୍ୟୁଦଣ୍ଡ ଧାର୍ଯ୍ୟ କରାଯାଇଥିଲା। ମେ’ ମାସରେ, ଯୁଦ୍ଧକ୍ଷେତ୍ରରୁ ପଳାୟନ କରିଥିବା ଆଠ ଜଣ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ଏବଂ ଜୁଲାଇରେ ୨୫ ଜଣ ସୈନିକ ମଧ୍ୟ ସମାନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କାହାକୁ ଫାଶୀ ଦିଆଯାଇ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking