ଭୁବନେଶ୍ୱର: ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନିଜର ଜନ ଗଣନା । ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ସୂଚନା ଦେଇଛନ୍ତି । ସ୍ୱ ଗଣନା ପ୍ରକ୍ରିୟାରେ ଅଧିକ ସାମିଲ ହେବାକୁ ଲୋକଙ୍କୁ ଅପିଲ କରିଛନ୍ତି । ଜନଗଣନା ନିର୍ଦ୍ଦେଶକଙ୍କ ସହ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅପିଲ କରିଛନ୍ତି । ଦୀର୍ଘ ୧୫ ବର୍ଷ ପରେ ସାରା ଦେଶରେ ଆସନ୍ତାକାଲିଠୁ ଜନଗଣନା ଆରମ୍ଭ ହୋଇଥିବା ବେଳେ, ଓଡ଼ିଶାରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା । ରାଜ୍ୟର ପ୍ରଥମ ନାଗରିକ ଭାବେ ସ୍ୱଗଣନା କରାଇଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏବଂ କଟକ ମହାନଗର ନିଗମ ମେୟର ସୁବାସ ସିଂ ପ୍ରମୁଖ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଜନଗଣନା ପାଇଁ ନାଗରିକଙ୍କୁ ଦେବାକୁ ପଡ଼ିବ ୩୩ଟି ପ୍ରଶ୍ନ । ଘର, ପରିବାର, ପରିବାରର ମୁଖ୍ୟ, ଗାଡ଼ି, ଜମିବାଡ଼ି, ଏଲ୍ପିଜି, ଇଣ୍ଟରନେଟ୍ ସୁବିଧା, ମୋବାଇଲ୍ ଫୋନ୍ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି । ପ୍ରଥମ ଥର ପାଇଁ ଅନଲାଇନରେ ସ୍ୱଗଣନା କରିପାରିବେ ସାଧାରଣ ଜନତା। ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସାଇଟ୍ se.census.gov.in କୁ ଯାଇ ଦେଇପାରିବେ । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯିବ ।










