22.1 C
Bhubaneswar
Tuesday, December 16, 2025
Homeଓଡିଶାବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଓଡ଼ିଶା ପୋଲିସର ୨ ଯୁବ କ୍ରୀଡାବିତଙ୍କୁ ସ୍ୱର୍ଣ୍ଣ...

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫: ଓଡ଼ିଶା ପୋଲିସର ୨ ଯୁବ କ୍ରୀଡାବିତଙ୍କୁ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

କଟକ: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ୨ ଜଣ ଯୁବ କ୍ରୀଡାବିତ ଅଶୋକ ଦଣ୍ଡସେନା ଦୁଇଟି ସ୍ୱର୍ଣ୍ଣ ପଦକ ଏବଂ ସୁସ୍ମିତା ଟିଗା ଗୋଟିଏ ରୌପ୍ୟ ପଦକ ବିଜୟୀ ହୋଇ ଓଡିଶା ପୋଲିସକୁ ଗୌରବାନ୍ଵିତ କରିଛନ୍ତି। ଓଡିଶା ପୋଲିସର କ୍ରୀଡ଼ାବିତମାନେ ଗତ ଛଅ ଦିନ ମଧ୍ୟରେ ୧୩ଟି ସ୍ୱର୍ଣ୍ଣ ପଦକ, ୩ଟି ରୌପ୍ୟ ପଦକ ଓ ୪ ଟି ବ୍ରୋଞ୍ଚ ପଦକ ସହ ମୋଟ ୨୦ଟି ପଦକ ବିଜୟୀ ହୋଇ ଐତିହାସିକ ସଫଳତା ଲାଭ କରିଛନ୍ତି। କନଷ୍ଟେବଳ ଅଶୋକ ଦଣ୍ଡସେନା ପୁରୁଷ ବିଭାଗ ୨୧ କିଲୋମିଟର ହାଫ ମାରାଥନ୍ ଦୌଡ ଓ ୨୧ କିଲୋମିଟର ହାଫ ମାରାଥନ୍ ଦୌଡ (ଟିମ ଇଭେଣ୍ଟ) ରେ ୨ଟି ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ପୂର୍ଵରୁ ସେ ୮୦୦ ମିଟର, ୧୫୦୦ ମିଟର, ୫୦୦୦ ମିଟର ଓ ୧୦୦୦୦ ମିଟର ଦୌଡ ଓ ୩୦୦୦ ମିଟର ଷ୍ଟିପଲଚେଜ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଏବଂ ୪୦୦×୪୦୦ ରିଲେରେ ରୌପ୍ୟ ପଦକ ବିଜୟୀ ହୋଇଥିଲେ।

ଅନୁରୂପ ଭାବେ କନଷ୍ଟେବଳ ସୁସ୍ମିତା ଟିଗା ମହିଳା ବିଭାଗ ୨୧ କିଲୋମିଟର ହାଫ ମାରାଥନ୍ ଦୌଡରେ ରୌପ୍ୟ ପଦକ ବିଜୟୀ ହୋଇ ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛନ୍ତି। ପୂର୍ଵରୁ ସେ ୧୫୦୦ ମିଟର ଦୌଡ଼ ଓ ୩୦୦୦ ମିଟର ଷ୍ଟିପଲଚେଜରେ ସ୍ୱର୍ଣ୍ଣ ପଦକ, ୮୦୦ ମିଟର ଦୌଡରେ ରୌପ୍ୟ ପଦକ ଏବଂ ୪୦୦*୪୦୦ ରିଲେରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଏହି ଯୁବ ଖେଳାଳିମାନଙ୍କ ନିଷ୍ଠା, ଆଗ୍ରହ, ଦୃଢ଼ତା ଏବଂ ପରିଶ୍ରମ ଦେଶ ତଥା ରାଜ୍ୟକୁ ଗର୍ବିତ କରିଛି। ଏହି ଯୁବ କ୍ରୀଡ଼ାବିତ ମାନଙ୍କ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେମାନେ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୋଲିସର ସୁନାମ ବଢ଼ାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ପୋଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking