ଭୁବନେଶ୍ୱର: ମଝି ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର, ଜଣେ ମୃତ । ଗୁରୁତର ଅବସ୍ଥାରେ ୪ଜଣଙ୍କୁ କଟକ ବଡ ମେଡିକେଲକୁ ସ୍ଥାନାନ୍ତର । ଶୁକ୍ରବାର ବିଳମ୍ବିତ ରାତି ୧ଟା ୨୦ ମିନିଟ୍ ସମୟରେ ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ଦୟା ବ୍ରିଜ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । କାରଟି ପୁରୀରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ରଥମେ ଏକ ଗଛ ଓ ପରେ ବିଦୁତ୍ ଖୁଣ୍ଟିରେ ପିଟି ହେଇଥିଲା କାର । ଗଛ ଓ ବିଦ୍ୟୁତଖୁଣ୍ଟ କ୍ଷତିଗ୍ରସ୍ତ ହେଇଥିବା ବେଳେ କାରଟି ମଧ୍ୟ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିବା ଦେଖିବାକୁ ମିଳିଛି । ଘନ କୁହୁଡି କାରଣରୁ ରାସ୍ତା ନଜାଣିପାରି କାର ଚାଳକ ଦୁର୍ଘଟଣା ଘଟାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଆହତ ୪ଜଣ ରାଜେଶ ମହାରଣା, କାହ୍ନୁଚରଣ ମଲ୍ଲିକ, ଚନ୍ଦନ ମଲ୍ଲିକ ଓ ସଂଗ୍ରାମ ରାଉତ । ଏମାନେ ସମସ୍ତେ ମଞ୍ଚେଶ୍ୱରଠାରେ ଥିବା ଏକ ମିକ୍ସଚର କମ୍ପାନୀରେ କାମ କରନ୍ତି । ଗୁରୁତର ମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଧଉଳି ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।