26.1 C
Bhubaneswar
Saturday, April 4, 2026
Homeଓଡିଶାବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ: ସୁରଥ ବିଶ୍ୱାଳ

ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ: ସୁରଥ ବିଶ୍ୱାଳ

  • ୨୪ ବର୍ଷ ଧରି ପଛୁଆବର୍ଗଙ୍କୁ ପ୍ରତାରଣା କରିଛି ବିଜେଡି
  • ଓବିସି ଓ ଏସ୍‌ଇବିସିମାନଙ୍କୁ ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସାମ୍ବିଧାନିକ ଅଧିକାର ଦେବାକୁ ଦୃଢ ପ୍ରତିଶ୍ରୁତିବଦ୍ଧ ବିଜେପି ସରକାର
  •  ବିଜେଡି ଆତ୍ମଚିନ୍ତନ କରିବା ବଦଳରେ ଏବେ ହୀନ ରାଜନୀତି କରୁଛି
  •  ନବୀନ ବାବୁ ଓ ବିଜେଡି ଓବିସି ବିରୋଧୀ ଏବଂ ବିଜେଡିରେ ପଛୁଆବର୍ଗଙ୍କ ସେଲ୍ ନାହିଁ
  •  ଦେଶରେ ପ୍ରଥମକରି ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି ନରେନ୍ଦ୍ର ମୋଦି

ଭୁବନେଶ୍ୱର : ୨୪ ବର୍ଷ ଶାସନରେ ବିଜୁ ଜନତା ଦଳ ସରକାର ୫୪ ଭାଗ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରିଛନ୍ତି । ନିଜେ ନବୀନ ବାବୁ ଏବଂ ତାଙ୍କ ଦଳ ବିଜେଡି ସମ୍ପୂର୍ଣ୍ଣ ଭାବେ ପଛୁଆବର୍ଗ ବିରୋଧୀ । ଶିକ୍ଷା, ନିଯୁକ୍ତି, ଏବଂ ରାଜନୈତିକ ପ୍ରତିନିଧିତ୍ୱ କ୍ଷେତ୍ରରେ ଏହି ବର୍ଗଙ୍କୁ ବଂଚିତ କରିଛି ବିଜେଡି । ବିଜେଡି ଦଳରେ ପଛୁଆବର୍ଗ ପାଇଁ କୌଣସି ସେଲ୍ ନଥିବା, ପଛୁଆବର୍ଗ ପ୍ରତି ତାଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି । ନିଜ ଦଳ ଭିତରେ ତୀବ୍ର ଗୋଷ୍ଠୀ କନ୍ଦଳ, ବିଦ୍ରୋହ ଏବଂ ଜଣକ ପରେ ଜଣେ ଦଳ ଛାଡ଼ୁଥିବାବେଳେ ସେଥିରୁ ଦୃଷ୍ଟି ହଟାଇବାକୁ ଯାଇ ବିଜେଡିର ନେତାମାନେ ଅନେକ ବୟାନବାଜୀ ଓ ନାଟକ ଆରମ୍ଭ କରିଦେଇଛନ୍ତି । ବିଜେଡି ମୁହଁରେ ଓବିସି ପ୍ରସଙ୍ଗ ଶୋଭା ପାଉନାହିଁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ଆତ୍ମଚିନ୍ତନ କରିବା ବଦଳରେ ଏବେ ହୀନ ରାଜନୀତି କରୁଛି । ଦୀର୍ଘ ୨୪ ବର୍ଷ ଶାସନରେ ରହିବା ସତ୍ୱେ ପଛୁଆବର୍ଗଙ୍କ ମୌଳିକ ଅଧିକାର ସମ୍ପର୍କରେ କର୍ଣ୍ଣପାତ କରିନଥିଲା ବିଜେଡି । ଅନ୍ୟ ସମସ୍ତ ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ନାମ ଲେଖା ପାଇଁ ଓବିସିବର୍ଗର ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣ ମିଳୁଥିଲାବେଳେ ତତ୍କାଳୀନ ବିଜେଡି ସରକାର ସଂରକ୍ଷଣ ନଦେବା ଫଳରେ ଆମ ରାଜ୍ୟର ଲକ୍ଷଲକ୍ଷ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଂଚିତ ହୋଇଛନ୍ତି । ବିଜେଡି ଶାସନ ଥିବା ସମୟରେ ଯେଉଁ ପ୍ରଶ୍ନ ବିଜେପି ପକ୍ଷରୁ ପଚରାଯାଇଥିଲା, ଆଜି ସେମାନେ ଓଲଟା ସେହି ପ୍ରଶ୍ନ ପଚାରୁଛନ୍ତି । ଅପରପକ୍ଷେ ଓବିସିମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କୁ ସାମ୍ବିଧାନିକ ଅଧିକାର ଦେବାକୁ ଯଦି କେହି ଉଦ୍ୟମ କରିଥାନ୍ତି, ସେ ହେଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ନିଜ ମନ୍ତ୍ରୀମଣ୍ଡଳରେ ୨୭ ଜଣ ଓବିସିଙ୍କୁ ସ୍ଥାନ ଦେଇ ଏହାକୁ ପ୍ରମାଣିତ କରିଛନ୍ତି । ଦେଶରେ ପ୍ରଥମକରି ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା ଦେଇଛନ୍ତି ମୋଦିଜୀ । ସେ ଓବିସିମାନଙ୍କ ପାଇଁ ଡାକ୍ତରୀ ପାଠପଢ଼ା, ଇଞ୍ଜିନିୟରିଂ, ସୈନିକ ସ୍କୁଲ, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ସବୁଠି ୨୭ ପ୍ରତିଶତ ସଂରକ୍ଷଣ ସୁନିଶ୍ଚିତ କରିଛନ୍ତି । ଓଡ଼ିଶାରେ ବିଜେପି ଯେଉଁ ସଂକଳ୍ପପତ୍ର ଘୋଷଣା କରିଥିଲା, ସେଥିରେ ଓବିସିଙ୍କ ଦାବି ସମ୍ପର୍କରେ ସ୍ପଷ୍ଟତା ଅଛି । ଏବେ ସଂକଳ୍ପପତ୍ର୍ରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକୁ ଗୋଟିକ ପରେ ଗୋଟିଏ ପୂରଣ କରାଯାଉଛି । ଏଥିରେ ବିଜେଡିର କୌଣସି ଚିନ୍ତାପ୍ରକଟ କରିବାର ଆବଶ୍ୟକତା ନାହିଁ । ଅପରପକ୍ଷେ ବିଜେଡି ଓବିସିଙ୍କ ଅବା ପଛୁଆବର୍ଗଙ୍କ ପାଇଁ କିଛି ନକରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛି । ଦୀର୍ଘଦିନ ଧରି ରାଜ୍ୟରେ ଓବିସି କମିଶନ ପଦବୀ ଖାଲି ପଡ଼ିଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାରମ୍ବାର ଚିଠି ଲେଖିବାପରେ ବହୁ ବିଳମ୍ବରେ କମିଶନ ଗଠନ କରାଗଲା, କିନ୍ତୁ ତାଙ୍କୁ ସାମ୍ବିଧାନିକ କ୍ଷମତା ଦିଆଯାଇ ନଥିଲା । ଏହା ଧର୍ମକୁ ଆଖିଠାର ସଦୃଶ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

ଓବିସି ବର୍ଗର ଯୁବତୀ ଯୁବକଙ୍କ ଆତ୍ମନିଯୁକ୍ତି ପାଇଁ ଓବିସି ଫାଇନାନ୍ସ ଡେଭ୍‌ଲପ୍‌ମେଂଟ କର୍ପୋରେସନ ରହିଛି । ମାତ୍ର ଦୀର୍ଘଦିନ ହେବ ଏହି ନିଗମ ଅଚଳ ହୋଇପଡ଼ିଛି । ଏହାର କାରଣ କ’ଣ ବିଜେଡି ସ୍ପଷ୍ଟ କରିବ କି ? ଏହାର ଅର୍ଥ କିଏ ଲୁଟ୍ କଲା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ପଂଚାୟତ ଓ ପୌର ନିର୍ବାଚନରେ ଓବିସିବର୍ଗଙ୍କୁ ଦୀର୍ଘଦିନ ହେବ ୨୭ ପ୍ରତିଶତ ସଂରକ୍ଷଣ ମିଳୁଥିଲା । ମାତ୍ର ବିଜେଡି ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରି ମିଥ୍ୟା ତଥ୍ୟ ଉପସ୍ଥାପନ କରି ଓବିସିବର୍ଗଙ୍କୁ ସେଥିରୁ ବଂଚିତ କରିଥିଲା । ଲୋକେ ଏହି ଆକ୍ରୋଶକୁ ଏବେବି ଭୁଲିପାରି ନାହାଁନ୍ତି । ବିଜେଡି ଯେଉଁ ଜାତି ଜନଗଣନା ବିଷୟରେ କହୁଛି ସେଥିରେ ଆମର ପ୍ରଶ୍ନ ଯେ, ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରି ଓଡ଼ିଶାରେ ବିଜେଡି ସରକାର ଯେଉଁ ଓବିସି ସର୍ଭେ କରିଥିଲେ, ସେହି ରିପୋର୍ଟ କୁଆଡ଼େ ଗଲା? ବିଜେଡି ଏବେ କେବଳ ରାଜନୀତି ପାଇଁ ଲୋକଙ୍କୁ ଭୁଆଁ ବୁଲେଇବାକୁ ଉଦ୍ୟମ କରୁଛି । ନିର୍ବାଚନରେ ହାରିଯିବା ପରେ ଏବେ ପଛୁଆବର୍ଗଙ୍କ କଥା ଉଠାଇବା ଲଜ୍ଜ୍ୟାଜନକ, ଦୁଃଖଦାୟକ ଅଟେ । ରାଜ୍ୟରେ ବିଜେପି ସରକାର ଏବେ ଆସିଛି । ସରକାର ଓ ଆମ ଦଳ ଓଡିଶାରେ ଓବିସି ଓ ଏସ୍‌ଇବିସିମାନଙ୍କୁ ଉଭୟ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବାକୁ ଦୃଢ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking