29.1 C
Bhubaneswar
Thursday, May 8, 2025
Homeଦେଶ ବିଦେଶପିଲାଚୋରି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ରଦ୍ଦ

ପିଲାଚୋରି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ହସ୍ପିଟାଲରୁ ପିଲା ଚୋରି ହେଲେ ଲାଇସେନ୍ସ ରଦ୍ଦ

ନୂଆଦିଲ୍ଲୀ: ଦେଶରେ ଏବେ ପିଲା ଚୋରି ତଥା ବିକ୍ରି ଭଳି ଘଟଣା ବଢ଼ି ଚାଲିଥିବା ବେଳେ ମଙ୍ଗଳବାର ସୁପ୍ରିମକୋର୍ଟ ଏକ ପିଟିସନ୍ ଉପରେ ଶୁଣାଣି କରିବା ପୂର୍ବକ ବଡ଼ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ ନିଜ ରାୟରେ କହିଛନ୍ତି ଯେ, ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ ସରକାରମାନେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌। ପ୍ରଥମତଃ, ଯେଉଁ ହସ୍ପିଟାଲରୁ ନବଜାତ ଶିଶୁ ଚୋରି ହୁଏ, ସେହି ହସ୍ପିଟାଲର ଲାଇସେନ୍ସ ବାତିଲ କରାଯିବା ଉଚିତ୍‌। ଯଦି ପ୍ରସବ ପରେ ଶିଶୁଟି ନିଖୋଜ ହୋଇଯାଏ, ତେବେ ହସ୍ପିଟାଲ ଦାୟୀ ରହିବ। ସେହିପରି ଅନ୍ୟ ସ୍ଥାନରୁ ମଧ୍ୟ ଯଦି ପିଲା ଚୋରି ହେଉଛି, ତେବେ ଏଦିଗରେ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍‌। ପିଲା ଚୋରି ତଥା ବିକ୍ରି କରୁଥିବା ଲୋକ ଯେତିକି ଦୋଷୀ, ସେମାନଙ୍କ ଠାରୁ ପିଲା କିଣୁଥିବା ଦମ୍ପତି ମଧ୍ୟ ସମପରିମାଣର ଦୋଷୀ ବିବେଚିତ ହେବା ଉଚିତ୍‌।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଆର ମହାଦେବନଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ପିଲା ଚୋରି ଘଟଣାରେ ଅଭିଯୁକ୍ତମାନଙ୍କୁ ସମାଜ ପାଇଁ ବିପଦ ଭାବେ ଅଭିହିତ କରିଛନ୍ତି। ମା’ ବାପାଙ୍କ ଠାରୁ ସେମାନଙ୍କ ପିଲାଙ୍କୁ ଚୋରି କରୁଥିବା ଅସାମାଜିକ ତତ୍ତ୍ୱଙ୍କୁ ଏବଂ ଏମାନଙ୍କ ଠାରୁ ଅର୍ଥ ବଦଳରେ ପିଲା କିଣୁଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ପରିସ୍ଥିତିରେ ମଧ୍ୟ ଜାମିନ୍ ପ୍ରଦାନ କରାଯିବା ଉଚିତ୍ ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ଅବସରରେ ସୁପ୍ରିମକୋର୍ଟ ୨୦୨୪ରେ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ଏକ ନିଷ୍ପତ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି। ପିଲା ଚୋରି ଭଳି ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତଙ୍କୁ ଜାମିନ ଦେବା ହାଇକୋର୍ଟର ଅସାବଧାନ ମନୋଭାବକୁ ଦର୍ଶାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ହାଇକୋର୍ଟଙ୍କ ଜାମିନ ଆଦେଶକୁ ଚ୍ୟାଲେଞ୍ଜ ନକରିବା ପାଇଁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ ଜାତୀୟ ମାନବାଧିକାର କମିଶନ ଏବଂ ଭାରତୀୟ ବିକାଶ ସଂସ୍ଥାନ ଠାରୁ ଏକ ରିପୋର୍ଟ ମଧ୍ୟ ତଲବ କରିଛନ୍ତି। ସେହିପରି କୋର୍ଟ ସମସ୍ତ ମାତାପିତାଙ୍କୁ ହସ୍ପିଟାଲରେ ନବଜାତ ଶିଶୁଙ୍କ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟ ନିଜ ନିର୍ଦ୍ଦେଶନାମାରେ କହିଛନ୍ତି ଯେ, ଦେଶର ସମସ୍ତ ହାଇକୋର୍ଟ ସେମାନଙ୍କ ରାଜ୍ୟରେ ଶିଶୁ ଚାଲାଣ ସହ ଜଡିତ ବିଚାରାଧୀନ ମାମଲାଗୁଡ଼ିକର ସ୍ଥିତି ରିପୋର୍ଟ ମାଗିବା ସହ ଆଗାମୀ ୬ ମାସ ମଧ୍ୟରେ ସମସ୍ତ ଶୁଣାଣି ସମାପ୍ତ କରିବାକୁ ଟ୍ରାଏଲ୍ କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦିଅନ୍ତୁ। ଏପ୍ରକାର ମାମଲାର ଶୁଣାଣି ପ୍ରତିଦିନ ହେବା ଉଚିତ୍‌। ରାଜ୍ୟ ସରକାରମାନେ ମଧ୍ୟ ସେମାନଙ୍କ ରାଜ୍ୟରେ ଘଟୁଥିବା ଶିଶୁ ଚୋରି ତଥା ଚାଲାଣ ଭଳି ମାମଲାକୁ ଗମ୍ଭୀରତାର ସହ ନେବା ଉଚିତ୍‌। ଏଥିରେ ଖିଲାପି ହେଲେ ଏହାକୁ ଅଦାଲତ ଅବମାନନା ଭାବେ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।

ଉତ୍ତରପ୍ରଦେଶର ଏକ ଧନୀ ଦମ୍ପତି ୪ଲକ୍ଷ ଟଙ୍କାରେ ଏକ ଶିଶୁପୁତ୍ର କିଣିଥିଲେ। ପରେ ଏସମ୍ପର୍କରେ ଜଣାପଡିବା ପରେ ଏହି ଦମ୍ପତିଙ୍କ ସମେତ ସେମାନଙ୍କୁ ପିଲା ବିକ୍ରି କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ସହ ବାରାଣସୀ ଏବଂ ଆଖପାଖର ହସ୍ପିଟାଲଗୁଡ଼ିକରୁ ଶିଶୁ ଚୋରି କରିଥିବା ଅଭିଯୋଗରେ ସାମିଲ ଅଭିଯୁକ୍ତମାନଙ୍କୁ ଆହ୍ଲାବାଦ ହାଇକୋର୍ଟ ୨୦୨୪ ମସିହାରେ ଜାମିନ ପ୍ରଦାନ କରିଥିଲେ। ଏହି ଅଭିଯୁକ୍ତମାନେ ଦେଶର ବିଭିନ୍ନ ରାଜ୍ୟରୁ ପିଲାଚୋରି କରୁଥିଲେ ଏବଂ ଅନ୍ୟ ରାଜ୍ୟରେ ଧନୀ ତଥା ନିସନ୍ତାନ ଦମ୍ପତିଙ୍କୁ ୫ରୁ ୧୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଉଥିଲେ। ତେବେ ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ୍ ଦେବାରୁ ଚୋରି ହୋଇଥିବା ପିଲାମାନଙ୍କ ପରିବାର ଏହାକୁ ଚ୍ୟାଲେଞ୍ଜ୍ କରିବା ପୂର୍ବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ମଙ୍ଗଳବାର ରାୟ ଦେବାକୁ ଯାଇଁ ହାଇକୋର୍ଟଙ୍କ ଜାମିନ୍ ନିର୍ଦ୍ଦେଶକୁ ରଦ୍ଦ କରିଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking