୧୪ ବର୍ଷରୁ କମ୍ ପ୍ରତିଯୋଗିତାରେ ଉଭୟ ବର୍ଗରେ ଓଡ଼ିଶା ଚ୍ୟାମ୍ପିୟନ୍
ଭୁବନେଶ୍ୱର: ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଚାମ୍ପିଅନସିପ୍ ୨୦୨୫–୨୬ ର ୧୪ ବର୍ଷରୁ କମ୍ ବର୍ଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶା ବିଜୟୀ ହୋଇଛି ଏବଂ ଏଥିସହ ୫ ଦିନ ଧରି ଚାଲିଥିଲା ଜାତୀୟସ୍ତରୀୟ ପ୍ରତିଯୋଗିତା ଉଦଯାପିତ ହୋଇଛି । ୧୪ ବର୍ଷରୁ କମ୍ ଉଭୟ ବର୍ଗରେ ବିହାର ରନର୍ସଅପ୍ ହୋଇଥିବା ବେଳେ ମହାରାଷ୍ଟ୍ର ତୃତୀୟ ସ୍ଥାନ ଅଧିକାର କରିଛି । କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଉଦଯାପନୀ ସମାରୋହରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ଉପସ୍ଥିତ ବିଜୟୀ ଦଳକୁ ପୁରସ୍କୃତ କରିବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି । ଏଥିସହ ଯୁବ ଖେଳାଳିମାନଙ୍କର ଶୃଙ୍ଖଳା ଓ ଉତ୍ସାହକୁ ପ୍ରଶଂସା କରିଥିଲେ । ସେ କହିଛନ୍ତି ଯେ ଏପରି ମଞ୍ଚ କେବଳ କ୍ରୀଡା ପ୍ରତିଭାକୁ ଚିହ୍ନଟ କରିବାରେ ସୁଯୋଗ ଦେବ ନାହିଁ ବରଂ ଶିଶୁମାନଙ୍କ ମଧ୍ୟରେ ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସହନଶୀଳତାକୁ ମଜବୁତ କରିବ । ଏହାସହ ଏଭଳି ଜାତୀୟସ୍ତରୀୟ ପ୍ରତିଯୋଗିତା ଆୟୋଜନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଆୟୋଜନକୁ ପ୍ରଶଂସା କରିଥିଲେ । ବିଭାଗର କମିଶନର ତଥା ଶାସନ ସଚିବ ଡ଼ା ଏନ୍. ତିରୁମାଳା ନାୟକ ଖେଳାଳିମାନଙ୍କର ସମର୍ପଣ ଓ କ୍ରୀଡା ମନୋଭାବକୁ ପ୍ରଶଂସା କରିଥିଲେ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ବିରେନ୍ଦ୍ର କରକରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟସ୍ତରରେ କ୍ରୀଡା ସଂସ୍କୃତିକୁ ସୁଦୃଢ଼ କରିବାରେ ବିଭାଗର ପ୍ରୟାସକୁ ଉଲ୍ଲେଖ କରିଥିଲେ । ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ୍ର ସଭାପତି ଶ୍ରୀ ପ୍ରିୟଦର୍ଶୀ ମିଶ୍ର ବିଦ୍ୟାଳୟ କ୍ରୀଡାର ବ୍ୟକ୍ତିତ୍ୱ ଗଠନରେ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଚାମ୍ପିଅନସିପ୍ ସଫଳ ଆୟୋଜନ ପାଇଁ ସମସ୍ତ ଅଂଶୀଦାରଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ଟୁର୍ଣ୍ଣାମେଣ୍ଟ ପର୍ଯ୍ୟବେକ୍ଷକ ଶ୍ରୀ ଅରବିନ୍ଦ ଯାଦବ ଓଡ଼ିଶାର ସଫଳ ଆୟୋଜନକୁ ପ୍ରଶଂସା କରିଥିଲେ । ପରିଶେଷରେ ସହକାରୀ ନିର୍ଦ୍ଦେଶକ (ପି.ଇ.ଟି) ଶ୍ରୀ ଜ୍ୟୋତି ପ୍ରସାଦ ପରିଡା ଧନ୍ୟବାଦ ଜ୍ଞାପନ କରିଥିଲେ ।










