କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଲଭ୍ ଜିହାଦ ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ହିନ୍ଦୁ ଝିଅକୁ ବିବାହ କଲେ ଜଣେ ମୁସଲମାନ ପୁଅକୁ ମିଳୁଛି ୧୦ ଲକ୍ଷ ଟଙ୍କା। ଏପରି ଅଭିଯୋଗ ଆଣିଛନ୍ତି କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ନସଡିପୁର ଗ୍ରାମର ଜଣେ ମହିଳା। ଏ ନେଇ ମହିଳା ଜଣକ କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। କେନ୍ଦ୍ରାପଡ଼ା ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଯୁବକଙ୍କ ବିରୋଧରେ କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗକାରୀ ମହିଳା ଜଣକ କହିଛନ୍ତି ଯେ ସେ ହେଉଛନ୍ତି ମୁସଲମାନ ସଂପ୍ରଦାୟର। ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଅନ୍ୟ ଦୁଇ ଜଣ ହିନ୍ଦୁ ଝିଅକୁ ଭଲପାଇବା ଜାଲରେ ଫସାଇ ବିବାହ କରିଛନ୍ତି। ପ୍ରଥମେ ଏକ ବର୍ଷ ତଳେ ସାଲେପୁର ଅଞ୍ଚଳର ଜଣେ ହିନ୍ଦୁ ଝିଅକୁ ଫସାଇ ବିବାହ କରିଥିଲେ। ଏ ନେଇ ତାଙ୍କୁ ଏକ ଅନୁଷ୍ଠାନ ପକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଏବେ କେନ୍ଦ୍ରାପଡା ସଦର ଥାନା ଅଧିନ ନାଗପୁରା ଅଞ୍ଚଳର ଅନ୍ୟ ଜଣେ ହିନ୍ଦୁ ଝିଅକୁ ଫସାଇ ବିବାହ କରିଛନ୍ତି। ଏହି ଦୁଇଟି ବିବାହ ବାବଦରେ ତାଙ୍କୁ ୨୦ ଲକ୍ଷ ଟଙ୍କା ମିଳିଛି ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଜଣେ ହିନ୍ଦୁ ଯୁବତୀଙ୍କୁ ତାଙ୍କ ସ୍ୱାମୀ ହାଇଦ୍ରାବାଦରେ ବିକ୍ରି କରି ଦେଇଛନ୍ତି।
ଏ ସଂକ୍ରାନ୍ତରେ ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ସେ କହିଲେ ମହିଳା ଜଣକ ଅଭିଯୋଗ କରିବା ପରେ ତାଙ୍କ ସ୍ୱାମୀ ସଇଯୁଦ୍ଦିନ୍ଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହିତ ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତକୁ ଧରିବା ପାଇଁ ଆମେ ବିଭିନ୍ନ ସ୍ଥାନରେ ଚଢାଉ କରିଛୁ। ହେଲେ ସେ ଫେରାର ହୋଇଯାଇଛନ୍ତି। ଏଥିସହ ତାଙ୍କ ଫୋନ ଲାଗୁନାହିଁ। ଫଳରେ ତାଙ୍କୁ ଗିରଫ କରିବାରେ ସମସ୍ୟା ସୃଷ୍ଟି ହୋଇଛି। କିନ୍ତୁ ଖୁବଶୀଘ୍ର ଅଭିଯୁକ୍ତ ଯୁବକ ଗିରଫ ହେବେ ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆଙ୍କୁ ପଚାରିବାରୁ ସେ କହିଲେ ଅଭିଯୁକ୍ତଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରାଥମିକ ପର୍ଯ୍ୟାୟରେ ସଂପୃକ୍ତ ଯୁବକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଅଭିଯୋଗକୁ ଆଧାର କରି ଏକ ପୋଲିସ ଟିମ୍ ହାଇଦ୍ରାବାଦ ଯାଇଛି ବୋଲି ସେ କହିଛନ୍ତି। ଲଭ୍ ଜିହାଦ ସଂକ୍ରାନ୍ତରେ ସଂଖ୍ୟାଲଘୁ ସଂପ୍ରଦାୟର ନେତା ସଲିମ୍ ଖାନ୍ କୁହନ୍ତି କୋରାନ୍ର କୌଣସି ସ୍ଥାନରେ ବହୁ ବିବାହ ପ୍ରଥା ଉଲ୍ଲେଖ ନାହିଁଁ। ଯଦି କୌଣସି ଯୁବକ ଦ୍ୱିତୀୟ ବିବାହ କରିବାକୁ ଚାହିଁବ ତେବେ ସେ ପ୍ରଥମେ ନିଜ ପତ୍ନୀଙ୍କ ଠାରୁ ସହମତି ନେବ ନଚେତ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ପଡିବ। ଏହି ଘଟଣା ଯଦି ଅର୍ଥ ପାଇଁ ହୋଇଥାଏ ତେବେ ଏହା ନିନ୍ଦନୀୟ। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।










