28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶକେକ୍ ଖାଇଲେ କ୍ୟାନ୍‌ସର; ସତର୍କ କରାଇଲା କର୍ଣ୍ଣାଟକ ରାଜ୍ୟ ଖାଦ୍ୟ ସୁରକ୍ଷା ବିଭାଗ

କେକ୍ ଖାଇଲେ କ୍ୟାନ୍‌ସର; ସତର୍କ କରାଇଲା କର୍ଣ୍ଣାଟକ ରାଜ୍ୟ ଖାଦ୍ୟ ସୁରକ୍ଷା ବିଭାଗ

ନୂଆଦିଲ୍ଲୀ: ଜନ୍ମଦିନ ହେଉ କିମ୍ବା ବିବାହ ବାର୍ଷିକୀ, ଘରର କୌଣସି ସୁଖଦଃ ମୁହୂର୍ତ୍ତ ହେଉ କିମ୍ବା ଅଫିସ୍ ବା କାର୍ଯ୍ୟକ୍ଷେତ୍ରରେ କୌଣସି ଏକ ଗୌରବମୟ ମୁହୂର୍ତ୍ତକୁ ପାଳନ କରିବା ପାଇଁ ଆମେ ସମସ୍ତେ ସାଧାରଣତଃ କେକ୍ କାଟିଥାଉ । ସମସ୍ତେ ଏହାକୁ ସହର୍ଷ ଗ୍ରହଣ କରି ସେହି ସୁଖଦ ସମୟକୁ ପାଳନ କରିଥାନ୍ତି । ତେବେ ଏହି କେକ୍ ହିଁ ମାରାତ୍ମକ କ୍ୟାନସର୍ ଭଳି ରୋଗର କାରଣ ହୋଇପାରେ । ଏପ୍ରକାର ଏକ ଭୟଙ୍କର ତଥ୍ୟ ଏବେ କର୍ଣ୍ଣାଟକରୁ ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ସମଗ୍ର ଦେଶରେ ଏକପ୍ରକାର ଭୟ ସଞ୍ଚାର ହୋଇଛି ।
ରିପୋର୍ଟ ଅନୁସାରେ କର୍ଣ୍ଣାଟକା ଖାଦ୍ୟ ସୁରକ୍ଷା ବିଭାଗ (ଫୁଡ୍ ସେଫ୍‌ଟି ଅଥରିଟି) ପକ୍ଷରୁ ଏସମ୍ପର୍କରେ ଦିଆଯାଇଥିବା ତଥ୍ୟ ଅନୁସାରେ ବଜାରରେ ମିଳୁଥିବା ଭଳିକି ଭଳି କେକ୍ ଖାଇଲେ କ୍ୟାନସର ଭଳି ମାରାତ୍ମକ ବ୍ୟାଧି ହେବାର ଯଥେଷ୍ଟ ଆଶଙ୍କା ରହିଛି । ବିଶେଷ କରି ସ୍ଥାନୀୟ ବେକେରୀଗୁଡ଼ିକରେ ପ୍ରସ୍ତୁତ କେକ୍‌ରେ ଏହି ବିପଦ ଅଧିକ ରହିଛି । ନିକଟରେ କର୍ଣ୍ଣାଟକର ଖାଦ୍ୟ ନିୟାମକ ଦ୍ୱାରା କେକ୍ ନମୁନାରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ସବୁ ମିଳିଛି । ଏହାପରେ ରାଜ୍ୟର ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ବିଭାଗ ସ୍ଥାନୀୟ ବେକେରୀମାନଙ୍କୁ କେକ୍ ବିକ୍ରୟ ବିଷୟରେ ଚେତାବନୀ ଦେଇଛି ଯେଉଁଥିରେ ଅଧିକ ପରିମାଣର କୃତ୍ରିମ ରଙ୍ଗ ବ୍ୟବହାର ଉପରେ କଟକଣା ଲଗାଇଛି । ପ୍ରକାଶ, ସ୍ୱାସ୍ଥ୍ୟ ଅଧିକାରୀମାନେ ଯାଞ୍ଚ କରିଥିବା ୨୩୫ଟି କେକ୍ ନମୁନା ମଧ୍ୟରୁ ୨୨୩ଟି ବ୍ୟବହାର ପାଇଁ ନିରାପଦ ଥିବାବେଳେ ୧୨ ଟି ନମୁନାରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ରହିଥିଲା । ମୁଖ୍ୟତଃ କୁତ୍ରିମ ଆଲୁରା ରେଡ୍‌, ସେନସେଟ ୟେଲୋ ଏଫ୍‌ସିଏଫ୍‌, ପୋନ୍ସିଆଉ ୪ ଆର, ଟାର୍ଟ୍ରାଜାଇନ୍ ଏବଂ କାର୍ମୋଇସିନ୍ ଭଳି କୃତ୍ରିମ ରଙ୍ଗ ଏସବୁ କେକ୍‌ରେ ବ୍ୟବହୃତ ହୋଇଥିବା ଜଣାପଡିଥିଲା । ଏହି ରଙ୍ଗଗୁଡ଼ିକ ନାଲି ଭେଲଭେଟ ଏବଂ ବ୍ଲାକ ଫରେଷ୍ଟ ପରି କେକ୍‌ରେ ମିଳିଥିଲା । ରାଜ୍ୟର ଖାଦ୍ୟ ନିରାପତ୍ତା ଏବଂ ଗୁଣବତ୍ତା ନିୟାମକ ଏକ ବିବୃତ୍ତିରେ କହିଛି ଯେ କୃତ୍ରିମ ରଙ୍ଗର ଅଧିକ ବ୍ୟବହାର କେବଳ କର୍କଟ ରୋଗର ଆଶଙ୍କା ବଢାଏ ନାହିଁ ବରଂ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ।
ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ, ଅଧିକାଂଶ ଖାଦ୍ୟ ରଙ୍ଗ କିଲୋଗ୍ରାମରେ ୧୦୦ ମିଲି ଗ୍ରାମ୍ ବ୍ୟବହାର ହେବା ଉଚିତ୍ । ଆଲୁରା ରେଡ୍‌, ସେନସେଟ ୟେଲୋ ଏଫସିଏଫ୍‌, ପୋନ୍ସିଆଉ ୪ ଆର, ଟାର୍ଟ୍ରାଜାଇନ୍‌, ଏବଂ କାର୍ମୋଇସିନ୍ ଖାଦ୍ୟ ସାମଗ୍ରୀରେ କିଲୋଗ୍ରାମରେ ସର୍ବାଧିକ ୧୦୦ ମିଲି ଗ୍ରାମ୍ ବ୍ୟବହାର କରାଯିବା ଉଚିତ୍ । ଖାଦ୍ୟ ରଙ୍ଗରେ ମିଳୁଥିବା ରାସାୟନିକ ପଦାର୍ଥ ମଣିଷ ସ୍ୱାସ୍ଥ୍ୟ ଉପରେ ଏହାର ଗଭୀର ପ୍ରଭାବ ରହିଥାଏ । ଚକୋଲେଟ ଏବଂ ମୃଦୁ ପାନୀୟ ଠାରୁ ଆରମ୍ଭ କରି ଶସ୍ୟ ଏବଂ କେକ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ରକ୍ରିୟାକୃତ ଖାଦ୍ୟରେ କୃତ୍ରିମ ଖାଦ୍ୟ ରଙ୍ଗ ବହୁଳ ଭାବରେ ବ୍ୟବହୃତ ହୁଏ । ଏହି ରଙ୍ଗଗୁଡିକ ଖାଦ୍ୟକୁ ଅଧିକ ଆକର୍ଷଣୀୟ କରୁଥିବାବେଳେ କର୍କଟ ରୋଗ ପ୍ରତି ଆଶଙ୍କାକୁ ବଢ଼ାଇଦେଇଛି । ସେପଟେ ଏହି ଆଶ୍ଚର୍ଯ୍ୟଜନକ ଖୁଲାସା ପରେ କେକ୍ ପ୍ରେମୀ ଚିନ୍ତିତ ହୋଇପଡିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking