ନୂଆଦିଲ୍ଲୀ: ଲୋକପ୍ରିୟ ଭାରତୀୟ ଗାୟକ ଜୁବିନ୍ ଗର୍ଗଙ୍କୁ ହତ୍ୟା କରାଯାଇନି। ବରଂ ସେ ଅତ୍ୟଧିକ ନିଶାରେ ଥିବାବେଳେ ସମୁଦ୍ରରେ ଡାଇଭ୍ କରିବାକୁ ଜିଦ୍ କରିଥିଲେ। ଏପରିକି ସେ ଡାଇଭ୍ ସମୟରେ ଲାଇଫ୍ ଜ୍ୟାକେଟ୍ ପାଇଁ ମଧ୍ୟ ମନା କରିଥିଲେ। କେବଳ ଏହି କାରଣରୁ ହିଁ ସେ ଲାଜାରୁସ ଦ୍ୱୀପରେ ବୁଡ଼ିଯାଇ ମୃତ୍ୟୁବରଣ କରିଛନ୍ତି। ଜୁବିନ୍ ଗର୍ଗଙ୍କ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗରେ ତଦନ୍ତ କରୁଥିବା ସିଙ୍ଗାପୁର ପୁଲିସ ପକ୍ଷରୁ ଆଜି ଏପ୍ରକାର କିଛି ରିପୋର୍ଟ କୋର୍ଟଙ୍କୁ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୫୨ ବର୍ଷୀୟ ଜୁବିନ୍ ଗର୍ଗ ଗତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ଏକ ୟାଚ୍ ପାର୍ଟି ସହ ଥିଲେ। ଏଠାରେ ତାଙ୍କର ଏକ କନସର୍ଟ କାର୍ଯ୍ୟକ୍ରମ ଥିବାରୁ ସେ ସିଙ୍ଗାପୁର ଯାତ୍ରା କରିଥିଲେ। ତେବେ ସିଙ୍ଗାପୁରରେ ଉତ୍ତର ପୂର୍ବ ଭାରତ ଉତ୍ସବରେ ପ୍ରଦର୍ଶନ କରିବାର ଠିକ୍ ଦିନକ ପୁର୍ବରୁ ସେ ସମୁଦ୍ରରେ ଡାଇଭ୍ କରିବା ସମୟରେ ବୁଡିଯାଇ ପ୍ରାଣ ହରାଇଥିବା କୁହାଯାଇଥିଲା। ପ୍ରକାଶ, ସିଙ୍ଗାପୁର ତଦନ୍ତକାରୀ ଟିମ୍ର ମୁଖ୍ୟ ତଦନ୍ତକାରୀ ଅଧିକାରୀ କୋର୍ଟଙ୍କୁ ଅବଗତ କରିଛନ୍ତି ଯେ, ଜୁବିନ ଲାଇଫ ଜ୍ୟାକେଟ୍ ପିନ୍ଧିବାକୁ ମନା କରିେଇଥିଲେ। ସେହି ସମୟରେ ସେ ପ୍ରବଳ ନିଶାଶକ୍ତ ଥିଲେ। ତେବେ ସେ ନୌକା ନିକଟକୁ ଆସିବାପାଇଁ ପହଁରିବାକୁ ଚେଷ୍ଟା କରିବାବେଳେ ସଜ୍ଞାହୀନ ହୋଇଯାଇଥିଲେ ଏବଂ ବୁଡିଯାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ନୌକାକୁ ଅଣାଯାଇଥିଲା ଏବଂ ସିପିଆର ଦିଆଯାଇଥିଲା। କିନ୍ତୁ ତାଙ୍କୁ ବଞ୍ଚାଯାଇପାରିନଥିଲା। ସିଙ୍ଗାପୁର ପୁଲିସ ଜୁବିନ ଗର୍ଗଙ୍କ ମୃତ୍ୟୁ ପଛରେ କୌଣସି ଷଡ଼ଯନ୍ତ୍ର ଥିବା ସନ୍ଦେହ କରୁନାହିଁ ବୋଲି ସ୍ପଷ୍ଟ କରିଛି।










