ଦେବଗଡ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ ରିଆମାଳ ଥାନା ଅନ୍ତର୍ଗତ ରତନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ବାରକୋଟ ଥାନା ଅଧୀନ ଖଡ଼ିନାଳୀ ଗ୍ରାମର ଲକ୍ଷ୍ମଣ ସାହୁଙ୍କ ପୁଅ ଅମରନାଥ ଓରଫ କାଳିଆ (୨୮)। ଜଙ୍ଗଲ ଭିତରେ ଗଛରୁ ଯୁବକଙ୍କ ମୃତଦେହ ଝୁଲୁଥିବାବେଳେ ପାଖରେ ଏକ ହୋଣ୍ଡା ବାଇକ୍ ଓ ବ୍ୟାଗ୍ ମିଳିଥିଲା। ସ୍ଥାନୀୟ ଲୋକଙ୍କ ମାଧ୍ୟମରେ ଖବରପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପରିବାର ଲୋକଙ୍କ କହିବାନୁସାରେ, ଅମରନାଥ ଘରକୁ ଫେରୁଥିଲେ ଏବଂ ବିବାହ ପାଇଁ ତାଙ୍କ ଘରକୁ ଝିଅ ଘର ଲୋକ ଆସିଥାନ୍ତେ। ଘର ଲୋକେ ତାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ଅଫ୍ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ଜଙ୍ଗଲ ଭିତରେ ତାଙ୍କ ମୃତଦେହ ମିଳିଥିଲା। ଉକ୍ତ ଘଟଣାକୁ ନେଇ ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ହୋଇଥିବା ଅଭିଯୋଗ ଅଣାଯାଇଛି। ପୁଲିସ୍ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ରିପୋର୍ଟ ପରେ ଘଟଣାର ସ୍ପଷ୍ଟ ଚିତ୍ର ପ୍ରକାଶ ପାଇବ ବୋଲି ପୁଲିସ୍ ସୂଚନା ଦେଇଛି।










