ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତ ରୁଗୁଡିସାହି ନିକଟ ବିଲ ଭିତରୁ ଜଣେ ଯୁବକର ଗଳିତ ମୃତଦେହ ଉଦ୍ଧାର କରିଛି ଠାକୁରମୁଣ୍ଡା ଥାନା ପୋଲିସ। ମୃତ ଯୁବକ ଜଣକ ଠାକୁରମୁଣ୍ଡା ଥାନା ରାଣୀଭୋଳ ଗ୍ରାମରେ ଘରଜ୍ୱାଇଁ ରହିଥିବା ଦିବାକର ମହାନ୍ତ (୩୪) ବର୍ଷ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବରପାଇ ମୃତକଙ୍କ ବାପା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଳିଆପୋଷି ଗ୍ରାମର ଭକ୍ତବନ୍ଧୁ ମହାନ୍ତ ଠାକୁରମୁଣ୍ଡା ଥାନାରେ ପହଞ୍ଚି ପୁଅକୁ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି। ଗତ ରବିବାରସନ୍ଧ୍ୟା ଠାରୁ ନିଖୋଜ ହୋଇ ଥିବା ଦିବାକରଙ୍କ ମୃତ ଶରୀରକୁ ୨ ଦିନ ପରେ ଗ୍ରାମର ଶେଷ ସୀମାରେ ଥିବା ରାସ୍ତାକଡ ବିଲରେ ପଡିଥିଲା।
୨ ଦିନ ପରେ ପଚା ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ଶବକୁ ଦେଖିବାକୁ ପାଇ ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେବା ସହିତ ପୋଲିସକୁ ମଧ୍ୟ ଖବର ଦେଇଥିଲେ। ଖବରପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାୟକ, ମହୁଲଡିହା ଓଆଇସି ସମେତ ଠାକୁରମୁଣ୍ଡା ପୋଲିସ ଏଏସଆଇ ଅନିତା ସ୍ବାଇଁ ପହଞ୍ଚି ବିଲ ପାଣିରେ ପଡି ରହିଥିବା ଶବକୁ ଉଦ୍ଧାର କରି ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଠାକୁରମୁଣ୍ଡା ଥାନା ମାମଲା ରୁଜୁ କରି ବାରିପଦା ସାଇଣ୍ଟିଫିକ ଟିମକୁ ଡକାଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି। ସେହିପରି ଥାନା ଅଧିକାରୀ ମୃତକଙ୍କ ସ୍ତ୍ରୀ କୁ ଅଟକ ରଖି ପଚରାଉଚରା କରୁଛି ଠାକୁରମୁଣ୍ଡା ଥାନା ପୋଲିସ । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।










