ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନ କେଳାପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଜଣକ ସେହି ଗ୍ରାମର ଭିକାରି ବିଶୋଇଙ୍କ ପୁଅ ରବୀନ୍ଦ୍ର ବିଶୋଇ (୩୨) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ରବୀନ୍ଦ୍ର ସବୁଦିନ ପରି ଶନିବାର ମଧ୍ୟ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ପୋଖରୀର ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲେ। ଖବର ପାଇ ଫିରିଙ୍ଗିଆ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ପୋଖରୀ ଭିତରୁ ରବୀନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରି ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ବିଜୟ କୁମାର ନାଏକ ମେଡିକାଲରେ ପହଞ୍ଚି ଶବ ଜବତ କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ଫିରିଙ୍ଗିଆ ପୁଲିସ ପକ୍ଷରୁ କେସ୍ ନଂ ୦୪/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।










