ଖୋର୍ଦ୍ଧା: ହାଇୱା ଚାପିଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଞ୍ଚଳର ବୋତଲାମା ନିକଟସ୍ଥ ପାଟନା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ଅଠରଙ୍ଗାର ରମେଶ ବେହେରା । ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ ରମେଶ ତାଙ୍କ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ସେହି ସମୟରେ ପାଟନା ଛକରେ ଏକ ହାଇୱା ଟ୍ରକ ଆସି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ହାଇୱା ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ରମେଶଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟମାପରେ ସ୍ଥାନୀୟ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଦାବି କରି ରାସ୍ତା ଅବରୋଧ କରିବାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ସୂଚନା ପାଇବା ପରେ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏନେଇ ତଦନ୍ତ କରୁଛି ।









