16.1 C
Bhubaneswar
Tuesday, December 9, 2025
Homeଓଡିଶାଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଯୁବ ଓ ଛାତ୍ର କଂଗ୍ରେସ

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଯୁବ ଓ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ଘଟଣା ପ୍ରସଙ୍ଗରେ ଆଜି ପ୍ରଦେଶ ଯୁବ କଂଗ୍ରେସ ଓ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ମିଳିତ ଭାବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରାଯାଇଥିଲା । ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ପ୍ରାୟ ୧ଘଂଟା କାଳ ଧସ୍ତାଧସ୍ତି ହେବାପରେ ପୋଲିସ ବ୍ୟାରିକେଡକୁ ଆନ୍ଦୋଳନକାରୀ ମାନେ ଭାଙ୍ଗିଦେଇଥିଲେ । ପୋଲିସ ସେଠାରୁ ଭ୍ୟାନ ଯୋଗେ ଆନ୍ଦୋଳନକାରୀ ମାନଙ୍କୁ ଉଠାଇ ନେଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିବା ପ୍ରଦେଶ ଯୁବ କଂଗ୍ରେସ ସଭାପତି କହିଥିଲେ ଯେ ବାଲେଶ୍ୱର ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ଉଦ୍ୟମ ଘଟଣାରେ ସଂପୂର୍ଣ୍ଣଭାବେ ମହାବିଦ୍ୟାଳୟ କର୍ତୃପକ୍ଷ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ଦାୟୀ । ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ବିଭାଗକୁ ପରିଚାଳନା କରିବାରେ ବିଫଳ ଅଯୋଗ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଏ ସମଗ୍ର ଘଟଣାପାଇଁ ଦାୟୀ ଏବଂ ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ଓଡ଼ିଶାରେ ସରକାରୀ ଓ ବେସରକାରୀ ଶିକ୍ଷାବିଭାଗର କ୍ୟାମ୍ପସରେ ମହିଳା ଅସୁରକ୍ଷିତ ।

ସୁତରାଂ କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷା ଦେଇପାରୁନଥିବା ଉଚ୍ଚ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଯୁବ କଂଗ୍ରେସ ଦାବି କରୁଛି । ସେହିଭଳି ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ଉଦିତ ପ୍ରଧାନ କହିଲେ ଯେ ମୋହନ ସରକାର ଏକ ଛାତ୍ରବିରୋଧି ସରକାର । ପୀଡ଼ିତା ସୌମ୍ୟାଶ୍ରୀ ବିଶି ନ୍ୟାୟ ପାଇବାପାଇଁ କଲେଜର ଅଧ୍ୟକ୍ଷ, ଥାନା, ବାଲେଶ୍ୱର ସାଂସଦ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ସମସ୍ତଙ୍କୁ ଯୋଗାଯୋଗ କରିଛନ୍ତି । କିନ୍ତୁ ତାଙ୍କୁ ନ୍ୟାୟ ମିଳିନାହିଁ । ଶେଷରେ ହତାସ ହୋଇ ସେ ଆତ୍ମଦାହ କରିବାପାଇଁ ନିଷ୍ପତ୍ତି ନେଲେ । ଏବିଭିପି ଛାତ୍ର ସଂଗଠନଙ୍କର ସେ ଜଣେ ସଭ୍ୟା ଥାଇ ମଧ୍ୟ ତାଙ୍କ ନିଜ ସଂଗଠନ ଓ ସରକାର ତାଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ । ତେଣୁ ଓଡ଼ିଶାର ସମସ୍ତ କ୍ୟାମ୍ପସରେ ଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ଏହି ଘଟଣାରେ ଏବିଭିପି ଛାତ୍ର ସଂଗଠନର ଅସଲ ମୁଖା ଖୋଲିଯାଇଛି । ଏହି ସଂଗଠନର ଜଣେ ସଭ୍ୟାଙ୍କୁ ନ୍ୟାୟ ଦେବାପାଇଁ ଏବିଭିପି ସରକାରର ବିଫଳତା ଉପରେ ମୁହଁ ଖୋଲୁ ନାହିଁ । ଏବେଠାରୁ ଏବିଭିପି ସଂଗଠନରେ ନୂଆ ଛାତ୍ରଛାତ୍ରୀମାନେ ଯୋଗଦେବା ଉଚିତ କି? ଛାତ୍ରୀ ସୌମ୍ୟାଶ୍ରୀ ପ୍ରତି ଅନ୍ୟାୟ କରିଥିବା ଅଧ୍ୟାପକ ଓ ଅଧ୍ୟକ୍ଷକଙ୍କୁ ଚାକିରୀରୁ ବରଖାସ୍ତ କରାଯାଉ । ଅଧ୍ୟକ୍ଷଙ୍କୁ ଗିରଫ କରାଯାଉ । ଅଭିଯୋଗ ପାଇଲାପରେ ସ୍ଥାନୀୟ ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଥାନା ଅଧିକାରୀଙ୍କ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏବେ ଅଭିଭାବକ ମାନେ ତାଙ୍କର ଝିଅ ମାନଙ୍କୁ ଶିକ୍ଷାନୁଷ୍ଠାନକୁ ପଠାଇବେ କେମିତି? ଯିଏ ବାଡ଼ ସିଏ ଫସଲ ଖାଉଛି । ଅଧ୍ୟାପକ ମାନେ ଅତ୍ୟାଚାର କରୁଛନ୍ତି ।

ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ସରକାରଙ୍କର ସମସ୍ତ ସିଷ୍ଟମ ନିଷ୍କ୍ରିୟ ଓ ବିଫଳ ବୋଲି ପ୍ରମାଣିତ । ସୁତରାଂ ଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦିଆଯାଉ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ନିହାର ବେହେରା, ତୁଷାରକାନ୍ତି ତସ୍ୱସୀ, ମହମ୍ମଦ ଗୁଲଫାମ, ବଳରାମ ନନ୍ଦ, ବିରଞ୍ଚି ବାରିକ, ସାହାରୁଖ ଖାନ, ଆଶିଷ ମହାନ୍ତ, ସୁନିଲ ସାହୁ ଗାନ୍ଧୀ, ଲିପିକା ପାତ୍ର, ଲିପ୍ସା ନାୟକ, ସାଗର ପଟ୍ଟନାୟକ, ରଣଜିତ ସେନାପତି, ଆଦିତ୍ୟ ପାତ୍ର, ବାଦଲ ନାୟକ, ରାଜେଶ ଦାଶ, ସୁରଜ ରାଉତ, କାର୍ତ୍ତିକେଶ୍ୱର କାଣ୍ଡି, ଜଗଦିଶ ରାଉତ, ପବିତ୍ର ସେଠୀ, ପ୍ରଶାନ୍ତି ପରମାଣିକ, ବାବୁଲ ଲିପୁ, ତାପସ ଦେଓ, ଚଣ୍ଡି ପ୍ରସାଦ ମହାପାତ୍ର, ମହମ୍ମଦ ତାକ୍ୟୁଇନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking