ନୂଆଦିଲ୍ଲୀ: ଯୁବକଙ୍କୁ ଲୁହା ରଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଉତ୍ତରାଖଣ୍ଡର ବିକାଶନଗର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପରିବାର ସହିତ ମିଶି ଶାଲ ବିକ୍ରୟ କରି ଜୀବିକା ନିର୍ବାହ କରୁଥିବା ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଅସାମାଜିକ ଲୋକମାନେ ନିର୍ମମ ଭାବରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକଙ୍କ ବାମ ହାତ ଭାଙ୍ଗିଯାଇଥିଲା । ଲୁହା ରଡ ଦ୍ୱାରା ଆକ୍ରମଣ ହୋଇଥିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ, କିଛି ଲୋକ ପ୍ରଥମେ ତାଙ୍କ ପରିବାରକୁ ସେମାନଙ୍କର ପରିଚୟ ଏବଂ ସେମାନେ କେଉଁଠାରୁ ଆସିଛନ୍ତି ସେ ବିଷୟରେ ପଚରା ଉଚରା କରିଥିଲେ। ପରିବାରଟି ମୁସଲିମ ସମ୍ପ୍ରଦାୟର ଏବଂ କାଶ୍ମୀରର ବୋଲି ସ୍ପଷ୍ଟ ହେବା ମାତ୍ରେ ଆକ୍ରମଣକାରୀଙ୍କ ଆଚରଣ ହିଂସାତ୍ମକ ହୋଇଗଲା। ଯୁବକଙ୍କୁ ଘେରି ବାରମ୍ବାର ମୁଠା ଏବଂ ଲାତ ମାରିବା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଟାଣି ଟାଣି, ଚାପୁଡ଼ା ମାରି ଧାରୁଆ ଲୁହା ରଡ୍ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା।ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଥିଲା । ପୀଡିତାଙ୍କ ପକ୍ଷରୁ ପ୍ରଶାସନ ନିକଟରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସାମାଜିକ ସଂଗଠନ ଏବଂ ନାଗରିକମାନେ ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ହସ୍ତକ୍ଷେପ ପାଇଁ ନିବେଦନ କରିଛନ୍ତି।










