ଭୁବନେଶ୍ୱର: ରାଜ୍ୟରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା । ବିବାହିତା ମହିଳାଙ୍କୁ ନବରଙ୍ଗପୁରରୁ ଅପହରଣ କରି ମହାରାଷ୍ଟ୍ର ନେଇ ସେଠାରେ ୧୪ ଦିନ ଧରି ମନଖୁସି କରିବା ପରେ ଅନ୍ୟ ଜଣଙ୍କୁ ବିକ୍ରି କରିବାକୁ ଉଦ୍ୟମ କରିବା ବେଳେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ମହିଳାଙ୍କୁ ଉଦ୍ଧାର କରିବା ପରେ ଏହି ଅପହରଣ ପଛରେ ଥିବା ଅଭିଯୁକ୍ତ ଓ ରାକେଟକୁ ଧରିବାକୁ ଦାବି ହେଉଛି । ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଝରିଗାଁର ଜଣେ ବିବାହିତ ମହିଳା ନିଖୋଜ ହୋଇଯାଇଥିଲେ । ମହିଳାଙ୍କ ସ୍ୱାମୀ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ ନ ପାଇ ପୋଲିସରେ ଅଭିଯୋଗ କରିଥିଲେ । ତେବେ ହଠାତ୍ ଦୁଇ ଦିନ ତଳେ ମହିଳାଙ୍କ ସ୍ୱାମୀ ଏକ ଅଜଣା ନମ୍ବରରୁ କଲ ପାଇଥିଲେ ।
କଲ ରିସିଭ କରିବାରୁ ସେପଟରୁ ତାଙ୍କ ପତ୍ନୀଙ୍କ ସ୍ୱର ଶୁଭିଥିଲା । ସେ କାନ୍ଦି କାନ୍ଦି ତାଙ୍କୁ ମହାରାଷ୍ଟ୍ରରୁ ନେଇଯିବାକୁ କହିବା ସହ ଯାହା କହିଥିଲେ ତାହା ଶୁଣି ସ୍ୱାମୀଙ୍କ ମୁଣ୍ଡରେ ଆକାଶ ଛିଡି ପଡିବା ପରି ଅନୁଭବ କରିଥିଲେ । ତୁରନ୍ତ ଉମରକୋଟ ଥାନାକୁ ଯାଇ ସବୁ କହିଥିଲେ । ସେ କହିଥିଲେ, ତାଙ୍କ ସ୍ତ୍ରୀଙ୍କୁ ବାସୁଦେବ କଲାର ନାମକ ବ୍ୟକ୍ତି ଅପହରଣ କରି ମହାରାଷ୍ଟ୍ର ନେଇ ଗୃହବନ୍ଦୀ କରି ରଖିବା ସହ ବାରମ୍ବାର ନିଜ ଲାଳସା ମେଣ୍ଟାଇଥିଲା । ତା ପରେ ଅନ୍ୟ ଲୋକଙ୍କୁ ମଧ୍ୟ ଆଣି ମହିଳାଙ୍କୁ ଉପଭୋଗ କରିବାକୁ ଦେଇଥିଲା ।
ସବୁ କିଛି ମହିଳାଙ୍କ ସହ ହେଉଥିଲା ଜୋରଜବରଦସ୍ତି । ଶେଷରେ ବାସୁଦେବ ସେହି ମହିଳାଙ୍କୁ ବିକିବାକୁ ଉଦ୍ୟମ କରିଥିଲା । ହେଲେ ସୁଯୋଗ ପାଇ ମହିଳା ସେଠାରୁ ଖସି ଆସି ସ୍ୱାମୀଙ୍କୁ ଫୋନ କରିଥିଲେ । ନବରଙ୍ଗପୁରର ମାତୃ ଆଶ୍ରୟ ଆଶ୍ରମର କର୍ମକର୍ତ୍ତା ମହାରାଷ୍ଟ୍ର ଯାଇ ମହିଳାଙ୍କୁ ଉଦ୍ଧାର କରିଛନ୍ତି । ମହିଳା ଗାଁରେ ପହଞ୍ଚିବା ପରେ ବାସୁଦେବ ବିରୋଧର ଅଭିଯୋଗ କରିଛନ୍ତି । ମାତୃ ଆଶ୍ରମର କର୍ମକର୍ତ୍ତା ଏହା ପଛରେ କୌଣସି ରାକେଟ କାମ କରୁଥିବା ଅଭିଯୋଗ କରି ଏହାର ପର୍ଦ୍ଦାଫାସ କରିବାକୁ ଦାବି କରିଛନ୍ତି ।