30.1 C
Bhubaneswar
Thursday, February 5, 2026
Homeଓଡିଶାଜାଣିଲେ ଆଶ୍ଚର୍ଯ୍ୟ ହେବେ, ସୂର୍ଯ୍ୟମନ୍ଦିର କାନ୍ଥର ଚଉଡ଼ା ୨୬ ଫୁଟ

ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସୂର୍ଯ୍ୟମନ୍ଦିର କାନ୍ଥର ଚଉଡ଼ା ୨୬ ଫୁଟ

କୋଣାର୍କ: ସୂର୍ଯ୍ୟମନ୍ଦିର କେତେ ସୁରକ୍ଷିତ ? ମନ୍ଦିରର ଗର୍ଭଗୃହରୁ ବାଲି କଢ଼ାଗଲେ ଏହା ସୁରକ୍ଷିତ ରହିବ କି ନାହିଁ ? ଏହାକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ଆରମ୍ଭ କରିଛି ପରୀକ୍ଷାନିରୀକ୍ଷା। ଗତକାଲି ମନ୍ଦିରର ୮୦ ଫୁଟ ଉଚ୍ଚରେ ଡ୍ରିଲିଂ ଆରମ୍ଭ ହୋଇଥିଲା। ଆଜିସୁଦ୍ଧା ମନ୍ଦିର କାନ୍ଥକୁ ୨୬ ଫୁଟରୁ ଅଧିକ (୮ ମିଟର) ଡ୍ରିଲିଂ ପରେ ବାଲି ସ୍ତରକୁ ଛୁଇଁଥିଲା ମେସିନ୍‌। ତେଣୁ ମନ୍ଦିର କାନ୍ଥର ଚଉଡ଼ା ବା ମୋଟେଇ ୨୬ ଫୁଟରୁ ଅଧିକ ବୋଲି ଜଣାପଡ଼ିଥିବା ବେଳେ ମନ୍ଦିର ଭିତରୁ ସଂଗୃହୀତ ବାଲି ଓ ପଥରକୁ ପରୀକ୍ଷା ପାଇଁ ଆଇଆଇଟି ମାଡ୍ରାସକୁ ପଠାଯାଇଥିବା ସୂଚନା ମିଳିଛି। ଗତ ରବିବାରଠାରୁ ସୂର୍ଯ୍ୟମନ୍ଦିରର ୮୦ ଫୁଟ ଉପର ବେଢ଼ାରେ ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ କୁମାର ଖମାରୀ, ପୂର୍ବତନ ଡିଜି ଏକେ ବାସା ଓ ଆଇଆଇଟି ମାଡ୍ରାସର ବିଶେଷଜ୍ଞ ଅରୁଣ ମେନନ ସମେତ ୧୦ ଜଣିଆ ଇଞ୍ଜିନିୟର, ବୈଷୟିକ କୋର୍‌ କମିଟି ଦ୍ୱାରା ଗର୍ଭଗୃହର ସ୍ଥିତିକୁ ଅନୁଧ୍ୟାନ କରିବାପାଇଁ ପଶ୍ଚିମପାର୍ଶ୍ୱ କାନ୍ଥକୁ ସ୍ୱତନ୍ତ୍ର ତଥା ଅତ୍ୟାଧୁନିକ ଡ୍ରିଲ୍‌ ମାଧ୍ୟମରେ ୧୬ ସେଣ୍ଟିମିଟର ଚଉଡ଼ାରେ ପଥରକୁ କାଟି ଟନେଲ୍‌ ଖୋଳା ଆରମ୍ଭ କରିଥିଲେ। ଆଜି ଏହା ଶେଷ ହୋଇଛି। ୮ମିଟର ଖୋଳିବା ପରେ ଗର୍ଭଗୃହର ବାଲି ମିଳିଥିଲା।

ବୈଷୟିକ ଟିମ୍‌ ଗର୍ଭଗୃହରୁ ସଂଗ୍ରହ କରିଥିବା ବାଲି ଓ ମନ୍ଦିର ଗର୍ଭଗୃହର କିଛି ପଥର ଆଇଆଇଟି ମାଡ୍ରାସ ଲ୍ୟାବ୍‌କୁ ପରୀକ୍ଷା ପାଇଁ ପଠାଇଛନ୍ତି। ଏହାର ପରୀକ୍ଷା ରିପୋର୍ଟ ମିଳିବା ପରେ ମନ୍ଦିରର ଗର୍ଭଗୃହ କେତେ ସୁରକ୍ଷିତ ଅଛି ତାହାକୁ ଟିକିନିଖି ଅନୁଧ୍ୟାନ କରାଯିବ। ସମସ୍ତ ଅନୁଧ୍ୟାନ ପରେ ସୂର୍ଯ୍ୟମନ୍ଦିରରେ ବ୍ୟବହୃତ କାନ୍ଥ ପଥରର ଓସାର ଏବଂ ଏହାର ବାହାର ଓ ଭିତରର ସ୍ଥିତି କିପରି ଅଛି ଦେଖାଯିବ। ବାଲି କାଢ଼ିବା ଦ୍ବାରା ମନ୍ଦିର ସୁରକ୍ଷିତ ରହିବ କି ନାହିଁ ସମସ୍ତ ଦିଗକୁ ସୁନିଶ୍ଚିତ କଲା ପରେ ଗର୍ଭଗୃହରୁ ସମସ୍ତ ବାଲି କଢ଼ା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଏଏସ୍‌ଆଇ ପକ୍ଷରୁ ମେକାନିକାଲ୍‌ ପ୍ଲାଟ୍‌ଫର୍ମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହ ପ୍ରସ୍ତୁତ କରି ରଖାଯାଇଛି। ସୂର୍ଯ୍ୟମନ୍ଦିରର ଉତ୍ତର ଓ ପଶ୍ଚିମ କୋଣରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏକ ସ୍ୱତନ୍ତ୍ର ଲିଫ୍ଟ ମାଧ୍ୟମରେ ମନ୍ଦିର ଚୂଡ଼ାର ଗର୍ଭଗୃହରେ ରହିଥିବା ୧୧୬ ବର୍ଷର ଏହି ବାଲିକୁ ପର୍ଯ୍ୟାୟ କ୍ରମେ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ବାହାର କରାଯିବ। ପାଦଦେଶରୁ ପାଇପ୍‌ ସାହାଯ୍ୟରେ ବାଲିଗୁଡ଼ିକ ସ୍ୱତନ୍ତ୍ର ରାସ୍ତା ଦେଇ ଉତ୍ତର ପଶ୍ଚିମ କୋଣରେ ଏହାକୁ ସୁରକ୍ଷିତ ଭାବେ ରଖାଯିବ। ବାଲି ନିଷ୍କାସନ କାର୍ଯ୍ୟ ସରିଲେ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ସବୁଦିନ ନିମନ୍ତେ ଖୋଲି ଦିଆଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ ଅଧୀକ୍ଷକ ଡକ୍ଟର ଡିବି ଗଡ଼ନାୟକ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking