ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଏକ ବଡ଼ ଝଟକା ଲାଗିପାରେ । ସୂଚନା ଅନୁଯାୟୀ, ୟୁପିରେ ଅଧିକାରୀଙ୍କ ଅବାଧ୍ୟତା ପ୍ରସଙ୍ଗରେ ବିବାଦ ବୃଦ୍ଧି ପାଇଛି । ୟୁପି ସରକାରରେ ରାଜ୍ୟ ମନ୍ତ୍ରୀ ସୋନମ କିନ୍ନର ଇସ୍ତଫା ଦେଇପାରନ୍ତି । ସେ ଅଧିକାରୀଙ୍କ ଅବାଧରେ ଅସନ୍ତୁଷ୍ଟ ଅଛନ୍ତି । ସେ ଖୁବ୍ଶୀଘ୍ର ରାଜ୍ୟପାଳଙ୍କୁ ଭେଟିପାରନ୍ତି । ସୂଚନା ଅନୁଯାୟୀ, ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ ପରେ ଉତ୍ତର ପ୍ରଦେଶରେ ପୁଣି ହେବାକୁ ଯାଉଛି ଉପନିର୍ବାଚନ । ୧୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ବି ଏହାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି ।
ଯଦି ‘ଜିତିଲେ ମୋଦି’ ତେବେ ‘ହାରିଲେ ବି ମୋଦି’ ନ୍ୟାୟରେ ଭାଜପା ଏବଂ ସହଯୋଗୀ ଦଳଗୁଡ଼ିକର ନେତାମାନେ ସ୍ୱର ଉତ୍ତୋଳନ କରୁଛନ୍ତି । ବିଶେଷକରି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ‘ସରକାରଠାରୁ ସଙ୍ଗଠନ ବଡ଼’ ମନ୍ତବ୍ୟ ୟୁପିର ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛି । ଭିତିରି ସୂତ୍ରରୁ ପ୍ରକାଶ ଯେ, କେଶବ ମୌର୍ଯ୍ୟ ସମାଜବାଦୀ ପାର୍ଟି ପଲା ଭାରି ଥିବା ଦେଖି ଅଖିଳେଶ ଯାଦବଙ୍କ ଯୋଗସୂତ୍ରରେ ରହିଛନ୍ତି । ଏଥିପାଇଁ ଭାଜପା ଭିତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ ବାର୍ଗେନିଂ କାପାସିଟି ବା ମୂଲଚାଲ ଦକ୍ଷତା ବଢ଼ିଯାଇଛି । ପାୱାର କରିଡରରେ ଏବେ ଗୋଟିଏ ଚର୍ଚ୍ଚା, ୟୁପିରେ କିଛି ଗୋଟିଏ ହେବାକୁ ଯାଉଛି । ତେବେ କେବଳ ୟୁପି ନୁହେଁ, ଇଣ୍ଡିଆ ମେଣ୍ଟ ମଜଭୁତ ହୋଇଥିବା ପ୍ରାୟ ସବୁ ରାଜ୍ୟରେ ଦଳୀୟ ନେତୃତ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।