ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆହୁରି କମିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟାରେ ଘନ କୁହୁଡି ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ। ସେପଟେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ମନୋରମା ମହାନ୍ତି କହିଛନ୍ତି,” ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରଭାବ ସାମାନ୍ୟ କମ୍ ରହିଥିବା ବେଳେ ଆଗାମୀ ୨ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ପରେ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବା ସହ ପୁଣି ବଢିବ ଶୀତ । ଏହାସହ ଆସନ୍ତା ୨ ଦିନ ଯାଏଁ ଘନ କୁହୁଡିର ସମ୍ଭାବନା ଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ସୁନ୍ଦରଗଡ, ଝାରସୁଗୁଡା, କନ୍ଧମାଳ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଯଦି ଦେଖିବା ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଅଧିକାଂଶ ଜିଲ୍ଲାରେ ଶୁଖିଲା ପାଗ ରହିବା ସହ ଘନ କୁହୁଡି କିଛି ସ୍ଥାନରେ ଦୃଶ୍ୟମାନ ହେବାର ସମ୍ଭାବନା ରହିଛି ।










