ନୂଆଦିଲ୍ଲୀ: ବେଲଜିୟମ୍ ହେଉଛି ପ୍ରଥମ ଦେଶ, ଯିଏକି ଯୌନ କର୍ମୀଙ୍କୁ ସାଧାରଣ ଚାକିରିଆଙ୍କ ଭଳି ସୁବିଧା ଯୋଗାଇ ଦେବା ପାଇଁ ଏକ ଆଇନ ପ୍ରସ୍ତୁତ କରିଛି । ବେଲଜିୟମର ନୂତନ ଆଇନ ଅନୁସାରେ, ଯୌନ କର୍ମୀମାନେ ମଧ୍ୟ ଚୁକ୍ତିନାମା ଅଧୀନରେ କାମ କରିବେ, ଯେଉଁଥିରେ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ପେନସନ, ଅସୁସ୍ଥଜନିତ ଛୁଟି ଏବଂ ମାତୃତ୍ୱ ଅବକାଶ ଭଳି ସୁବିଧା ଅନ୍ତର୍ଭୁକ୍ତ ରହିବ । ଅର୍ଥାତ୍ ଏହାକୁ ଚାକିରି ଭଳି ମାନ୍ୟତା ଦିଆଯିବ । ୨୦୨୨ରେ ବେଲଜିୟମ୍ ଏହି ପେଶାକୁ ଅପରାଧ ବର୍ଗରୁ ବାହାର କରିଦେଇଥିଲା ଏବଂ ଏହା କରିବାରେ ବେଲଜିୟମ୍ ହୋଇଥିଲା ବିଶ୍ୱର ପ୍ରଥମ ଦେଶ । ଏହା ବ୍ୟତୀତ ପେରୁ ଏବଂ ତୁର୍କୀରେ ମଧ୍ୟ ଏହି ବୃତ୍ତି ଆଇନଗତ ହୋଇଛି ।
ବେଲଜିୟମର ସଂସଦ ଗତ ସପ୍ତାହରେ ଏହି ଆଇନକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା ସପକ୍ଷରେ ୯୩ଟି ଭୋଟ୍ ପଡ଼ିଥିବା ବେଳେ ୩୩ ଜଣ ମତଦାନ ବର୍ଜନ କରିଥିଲେ । ତେବେ କୌଣସି ବି ଭୋଟ୍ ଏହା ବିପକ୍ଷରେ ପଡ଼ି ନ ଥିଲା । ଏକ ରିପୋର୍ଟ ମୁତାବକ, ନୂତନ ଆଇନ ଅଧୀନରେ ଯୌନ କର୍ମୀମାନେ ନିଜ ଇଚ୍ଛା ଅନୁସାରେ ସମ୍ପର୍କ ରଖିପାରିବେ ଏବଂ ବିନା କୌଣସି ନୋଟିସରେ ଅବଧିର ଯେକୌଣସି ସମୟରେ ନିଜର ଚୁକ୍ତି ସମାପ୍ତ କରିପାରିବେ । କିନ୍ତୁ ସୁବିଧା ପାଇବାର ଅଧିକାର ସେମାନେ ହରାଇବେ ନାହିଁ । ଏହା ସହିତ କର୍ମୀମାନଙ୍କର ପରିଚୟ ଆଇନ ଅନୁଯାୟୀ ସୁରକ୍ଷିତ ରହିବ, ଯଦ୍ଦ୍ୱାରା ସେମାନେ ଭେଦଭାବର ଭୟ ବିନା ଅନ୍ୟ ଚାକିରି ପାଇଁ ଆବେଦନ କରିପାରିବେ । ଏହି ଆଇନ ଅନୁସାରେ, ଯଦି କେହି ଯୌନ କର୍ମୀ ୬ ମାସର ଅବଧି ମଧ୍ୟରେ ୧୦ରୁ ଅଧିକ ଥର ଗ୍ରାହକଙ୍କୁ ମନା କରୁଛନ୍ତି, ତା’ ହେଲେ ଦଲାଲ୍ ସରକାରଙ୍କ ହସ୍ତକ୍ଷେପ ଦାବି କରିପାରିବେ । କିନ୍ତୁ କର୍ମୀଙ୍କୁ ଚାକିରିରୁ ବାହାର କରିପାରିବେ ନାହିଁ । ବେଲଜିୟମର ଅନେକ ସେକ୍ସ ୱାର୍କର ୟୁନିୟନ ଏହି ନୂତନ ଆଇନକୁ ସ୍ୱାଗତ କରିଛନ୍ତି ।