29.1 C
Bhubaneswar
Tuesday, July 2, 2024
Homeଖେଳପୂରଣ ହେଲା ବିଶ୍ୱକପ ସ୍ୱପ୍ନ: ଭାରତ ଟି-୨୦ ଚାମ୍ପିୟନ୍‌

ପୂରଣ ହେଲା ବିଶ୍ୱକପ ସ୍ୱପ୍ନ: ଭାରତ ଟି-୨୦ ଚାମ୍ପିୟନ୍‌

 – ୧୭ ବର୍ଷର ପ୍ରତୀକ୍ଷାର ଅନ୍ତ
– ଦକ୍ଷିଣ ଆଫ୍ରିକାକୁ ୭ରନ୍‌ରେ ହରାଇଲା
– ଶେଷ ୩୦ ବଲ୍‌ରେ ବଦଳିଲା ଖେଳ
– ଶେଷ ଓଭରରେ ପାଣ୍ଡ୍ୟା ପଲଟାଇଲା ମ୍ୟାଚ୍‌
– ସୂର୍ଯ୍ୟକୁମାରଙ୍କ କ୍ଲାସିକ୍ ମ୍ୟାଚ୍‌
– ୨୦୦୭ରେ ଭାରତ ଜିତିଥିଲା ପ୍ରଥମ ଟାଇଟଲ୍‌
– କୋହଲି ପ୍ଲେଆର୍ ଅଫ୍ ଦି ମ୍ୟାଚ୍‌, ବୁମରା ସିରିଜ

ବାର୍ବାଡସ୍‌: ହୃ୍ତ୍‌ସ୍ପନ୍ଦନ ଅସ୍ଥିର ହେଉଥିଲା, ଜିତିବା ଓ ହାରିବାର ଦୋଛକିରେ ଉଭୟ ଦଳର ପ୍ରଶଂସକ କେତେବେଳେ ଉଲ୍ଲସିତ ହେଉଥିଲେ ତ କେବେ କେବେ କାନ୍ଦି ପକାଉଥିଲେ। ଶେଷରେ ଭାରତୀୟ କ୍ରିକେଟ୍‌ରେ ଆଉ ଏକ ଐତିହାସିକ କ୍ଷଣ ଯୋଡ଼ି ହୋଇଗଲା। ଆଠ ମାସ ତଳେ ରୋହିତ ଶର୍ମାଙ୍କ ଦଳ ଦିନିକିଆ ବିଶ୍ବକପ୍‌ ଫାଇନାଲ୍ ହାରିବାର ଦୁଃଖକୁ ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଜିତି ଦୂର କରି ଦେଇଛି। ନଭେମ୍ବର ମାସରେ ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ହାରିଯାଇଥିବା ଅପରାଜିତ ଭାରତ ‌ସମାନ ଢଙ୍ଗରେ ଫାଇନାଲ୍‌କୁ ଆସିଥିଲେ ମଧ୍ୟ ଏଥର ଆଉ ଝୁଣ୍ଟିନାହିଁ। ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଭାରତ ଏହି ସ୍ମରଣୀୟ କ୍ଷଣ ପାଇଛି। ୧୧ ବର୍ଷ ପରେ ଭାରତ ଏକ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା। ୧୭ ବର୍ଷ ପରେ ଆଉ ଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ତୋଳି ଧରିଥିଲା। ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି। ୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଦିନିକିଆ ବିଶ୍ବକପ୍ ଜିତିଥିଲା। ସେହିଭଳି ୨୦୦୭ରେ ଧୋନିଙ୍କ ଦଳ ପ୍ରଥମ ସଂସ୍କରଣ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା। ବର୍ଣ୍ଣ‌ବୈଷମ୍ୟ ବାସନ୍ଦ ଉଠିବା ପରବର୍ତ୍ତୀ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରି ଦକ୍ଷିଣ ଆଫ୍ରିକା ତିନି ଦଶନ୍ଧି ପରେ ପ୍ରଥମ ଥର ଫାଇନାଲ୍ ଖେଳିଥିଲେ ମଧ୍ୟ ବିଶ୍ବକପ୍‌ ସ୍ବପ୍ନକୁ ସାକାର କରିପାରିଲା ନାହିଁ।

୧୭୭ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକାକୁ ପ୍ରଥମରୁ ଗୋଟିଏ ଲେଖ‌ାଏଁ ଝଟକା ଦେଇଥିଲେ ଭାରତର ଷ୍ଟ୍ରାଇକ୍ ବୋଲର ଯଶପ୍ରୀତ୍ ବୁମରା ଓ ଅର୍ଶଦୀପ ସିଂହ। ରିଜା ହେଣ୍ଡ୍ରିକ୍ସଙ୍କୁ ବୁମରା ବୋଲ୍ଡ କରିଦେବା ପରେ ଅଧିନାୟକ ଏଦୈନ ମାରକ୍ରମଙ୍କୁ ୱିକେଟ୍ ପଛପଟେ ପନ୍ତ୍‌ଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ ଅର୍ଶଦୀପ। ଏହି ସମୟରେ କିନ୍ତୁ ଶେଷ ବିଶ୍ବକପ୍‌ ଖେଳୁଥିବା କ୍ବିଣ୍ଟନ୍ ଡି’କକ୍‌ ଏବଂ ତ୍ରି‌ଷ୍ଟନ୍ ଷ୍ଟବ୍ସ ତୃତୀୟ ୱିକେଟ୍‌ ପାଇଁ ୬.୨ ଓଭରରେ ୫୮ ରନ୍ ଯୋଡ଼ି ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଏଡ଼ାଇଥିଲେ। ଷ୍ଟବ୍ସଙ୍କୁ ଅକ୍ଷର ପଟେଲ୍ ଓ ଡି’ କକ୍‌ଙ୍କୁ ଅର୍ଶଦୀପ ଆଉଟ୍ କରିବା ପରେ ହେନରିକ୍ କ୍ଲାସେଁ ୨୩ ବଲ୍‌ରୁ ୫୦ ରନ୍ ପୂର୍ଣ୍ଣ କରି ମ୍ୟାଚ୍‌ ଛଡ଼ାଇବାକୁ ଧମକାଇଥିଲେ। ଡେଭିଡ୍ ମିଲର୍‌ ବି ଖୁବ୍ ଲଢ଼ିଥିଲେ।

ଉଭୟଙ୍କୁ ହାର୍ଦିକ ପାଣ୍ଡ୍ୟା ଆଉଟ୍ କରି ଭାରତକୁ ପ୍ରତ୍ୟାବର୍ତନ କରାଇଥିଲେ। ଦକ୍ଷିଣ ଆଫ୍ରିକାକୁ ଶେଷ ଦୁଇ ଓଭରରୁ ୨୦ ରନ୍ ଆବଶ୍ୟକ ପଡ଼ିଥିଲା। ୧୯ତମ ଓଭରରେ ଅର୍ଶଦୀପ ସିଂହ ମାତ୍ର ୪ ରନ୍ ଦେଇ ସବୁ ଓଲଟ ପାଲଟ କରି ଦେଇଥିଲେ। ଶେଷ ଓଭରରେ ହାର୍ଦିକ ପାଣ୍ଡ୍ୟାଙ୍କୁ ବୋଲିଂ ଦେଇ ରୋହିତ ଯେଉଁ ଚାଲ୍ ଖେଳିଥିଲେ ତାହା ମଧ୍ୟ କାମ ଦେଇଥିଲା। ପ୍ରଥମ ବଲ୍‌ରେ ‌ବିପଜ୍ଜନକ ଡେଭିଡ୍ ମିଲରଙ୍କୁ ଆଉଟ୍ କରି ହାର୍ଦିକ ବାଟ ଫିଟାଇବା ପରେ ଆଉ ସୁଯୋଗ ହାତଛଡ଼ା କରିନଥିଲେ। ବାଉଣ୍ଡରି ନିକଟରେ ବଲ୍ ବାହାରକୁ ଚାଲିଯାଉଥିବାବେ‌ଳେ ସୂର୍ଯ୍ୟକୁମାର ୟାଦବ ବଲ୍‌କୁ ଧରି ବାହାରକୁ ଯିବା ପୂର୍ବରୁ ଉପରକୁ ଫିଙ୍ଗି ପୁଣି ଭିତରକୁ ଆସି ଧରିବା ସବୁଠାରୁ ନିର୍ଣ୍ଣାୟକ ହୋଇଥିଲା। ଭାରତର ୧୭୬ ରନ୍ ଜବାବରେ ଦକ୍ଷିଣ ଆଫ୍ରିକା ୧୬୯ ରନ୍‌ରେ ଅଟକିଯାଇଥିଲା। ବିଜେତା ହୋଇ ଭାରତ ୨୦.୪୨ କୋଟି ଟଙ୍କା ପାଇଥିବାବେଳେ ଦକ୍ଷିଣ ଆଫ୍ରିକାକୁ ୧୦.୬୭ କୋଟି ଟଙ୍କାରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ଫାଇନାଲ୍‌ ବିଜୟ ସହ ବିରାଟ କୋହଲି ତାଙ୍କ ଶେଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳିଥିବା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି।

ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ସେମିଫାଇନାଲ୍ ଦଳରେ କୌଣସି ଅଦଳ ବଦଳ ନ କରି ପଡ଼ିଆକୁ ଓହ୍ଲାଇଥିଲେ। ମାର୍କୋ ୟାନସେନ୍‌ ନୂଆ ବଲ୍‌ରେ ବୋଲିଂ କରିଥିବାବେଳେ ଫର୍ମକୁ ନେଇ ସଂଘର୍ଷ କରୁଥିବା ବିରାଟ କୋହଲି ୩ ଚୌକା ସହ ୧୫ ରନ୍ ଆଦାୟ କରି ଆତ୍ମବିଶ୍ବାସ ଅର୍ଜନ କରି ନେଇଥିଲେ। ତେବେ ଦ୍ବିତୀୟ ଓଭରରେ ସ୍ପିନ୍ ଆକ୍ରମଣ ଆରମ୍ଭ କରିବାର କୌଶଳ ଦକ୍ଷିଣ ଆଫ୍ରିକା ପାଇଁ କାମ ‌ଦେଇଥିଲା। କେଶବ ମହାରାଜ ଗୋଟିଏ ବଲ୍ ବ୍ୟବଧାନରେ ରୋହିତ ଶର୍ମା (୫ ବଲ୍‌ରୁ ୯ ରନ୍) ଏବଂ ଋଷଭ ପନ୍ତ୍ (୨ ବଲ୍‌ରୁ ଶୂନ)ଙ୍କୁ ଆଉଟ୍ କରି ଭାରତର ଲୟକୁ ରୋକିଥିଲେ। ଏହି ଚାପରେ ବିରାଟ କୋହଲି ମଧ୍ୟ ପାଳି ଗଢ଼ିବା କାମରେ ଲାଗି ପଡ଼ିଥିଲେ। ପଞ୍ଚମ ଓଭରରେ ସୂର୍ଯ୍ୟକୁମାର ୟାଦବ (୪ ବଲ୍‌ରୁ ୩ ରନ୍)ଙ୍କୁ କାଗିସୋ ରବାଡ଼ା ଆଉଟ୍ କରିବା ଭାରତକୁ ଅସମ୍ଭବ ଚାପରେ ପକାଇଥିଲା। ରୋହିତ ଶର୍ମାଙ୍କ ଦଳ ୩୪/୩ରେ ସଂଘର୍ଷ କରିବା ସମୟରେ ବିରାଟ କୋହଲିଙ୍କ ସହ ଯୋଗ ଦେଇଥିବା ଅଲରାଉଣ୍ଡର୍‌ ଅକ୍ଷର ପଟେଲ୍‌ କିନ୍ତୁ ଆଶା ଦେଖାଇଥିଲେ। ୪ଟି ଦର୍ଶନୀୟ ଛକା ସହ ୩୧ ବଲ୍‌ରୁ ୪୭ ରନ୍ ସଂଗ୍ରହ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଯାଇଥିଲେ। ଏହି ସମୟରେ କିନ୍ତୁ ବିରାଟଙ୍କ ବ୍ୟାଟ୍ ଶାନ୍ତ ପଡ଼ିଯାଇଥିଲା। ଉଭୟ କିନ୍ତୁ ଚତୁର୍ଥ ୱିକେଟ୍ ଭାଗୀଦାରିରେ ୯ ଓଭରରୁ ୭୨ ରନ୍ ଯୋଡ଼ି ଭାରତକୁ ଆହ୍ବାନ ଭରା ସ୍କୋର୍ ପ୍ରଦାନର ଦିଶା ଦେଖ‌ାଇଥିଲେ। କୋହଲି ୪୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ପରେ ଶେଷ ୧୧ ବଲ୍‌ରୁ ୨୬ ରନ୍ ଯୋଡ଼ି ମାର୍କୋ ୟା‌ନସେନ୍‌ଙ୍କ ବଲ୍‌ରେ ରବାଡ଼ାଙ୍କୁ କ୍ୟାଚ୍‌ ଦେଇ ଫେରିଯାଇଥିଲେ।

ସେତେବେଳକୁ କୋହଲି ୫୯ ବଲ୍‌ରୁ ୭୬ ରନ୍ ସଂଗ୍ରହ କରି ଚଳିତ ବିଶ୍ବକପ୍‌ରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ମଧ୍ୟରେ ୬ ଚୌକା ଓ ୨ ଛକା ସାମିଲ ଥିଲା। କୋହଲିଙ୍କ ପାଳିର ଅଗ୍ରଗତି ଭିନ୍ନ ଢଙ୍ଗରେ ହୋଇଥିଲା। ସେ ସମ୍ମୁଖୀନ ହୋଇଥିବା ପ୍ରଥମ ୧୫ ବଲ୍‌ରୁ ୧୪୦.୦ ଷ୍ଟ୍ର‌ାଇକ୍ ରେଟ୍‌ରେ ୨୧ ରନ୍ ସଂଗ୍ରହ କରିଥିଲେ। କିନ୍ତୁ ପରବର୍ତ୍ତୀ ୧୫ ବଲ୍‌ରୁ ସେ ୧୦୬.୭ ଷ୍ଟ୍ରାଇକ୍ ରେଟ୍‌ରେ ମାତ୍ର ୧୬ ରନ୍ ଯୋଡ଼ିଥିଲେ। ତୃ୍ତୀୟ ୧୫ ବଲ୍‌ରୁ ସେ ଅତି ଦୟନୀୟ ଭାବେ ମାତ୍ର ୧୧ ରନ୍ ଯୋଡ଼ିଥିଲେ ୭୩.୩ ଷ୍ଟ୍ରାଇକ୍ ରେଟ୍‌ରେ। ଶେଷ ୧୪ ବଲ୍‌ରୁ ସେ ୨୮ ରନ୍ ଯୋଡ଼ିଥିଲେ ୨୦୦.୦ ଷ୍ଟ୍ରାଇକ୍ ରେଟ୍‌ରେ। ବିରାଟ କୋହଲି ୪୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଭାରତ ପାଇଁ ଏହା ଦ୍ବିତୀୟ ମନ୍ଥରତମ ଅର୍ଦ୍ଧଶତକ ଥିଲା। କାରଣ ନ୍ୟୁୟର୍କରେ ଆମେରିକା ବିପକ୍ଷ ଗ୍ରୁପ୍ ମୁକାବିଲାରେ ଭାରତକୁ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ବାହାର କରିବାକୁ ଯାଇ ସୂର୍ଯ୍ୟକୁମାର ୟାଦବ ୪୯ ବଲ୍‌ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ଅକ୍ଷର ପଟେଲ୍ ଓ ବିରାଟ କୋହଲିଙ୍କ ଆଉଟ୍ ପରେ ଶିଭମ ଦୁବେ ଏକ ଛୋଟ ଉପଯୋଗୀ ପାଳି ଖେଳି ୧୬ ବଲ୍‌ରୁ ୨୭ ରନ୍ କରିଥିଲେ। ୨୦ତମ ଓଭରରେ ଅନରିକ୍ ନର୍ଖିୟା ଟାଇଟ୍ ବୋଲିଂ କରିବାରୁ ଭାରତ ୧୮୦ ରନ୍ ଅତିକ୍ରମ କରିପାରିନଥିଲା। ଭାରତ ଅଷ୍ଟମ ଓଭର ପ୍ରଥମ ବଲ୍‌ରେ ୫୦, ୧୪ତମ ଓଭର ପ୍ରଥମ ବଲ୍‌ରେ ୧୦୦ ଏବଂ ୧୮ତମ ଓଭର ଶେଷ ବଲ୍‌ରେ ୧୫୦ ଅତିକ୍ରମ କରିଥିଲା। କେଶବ ମହାରାଜ (୩-୦-୨୩-୨) ଓ ଅନରିକ୍ ନର୍ଖିୟା (୪-୦-୨୬-୨) ପ୍ରଭାବୀ ବୋଲିଂ କରିବାରୁ ଭାରତ ସମ୍ଭାବ୍ୟ ୧୮୦/୧୯୦ ରନ୍ ପର୍ଯ୍ୟନ୍ତ ପହଞ୍ଚିପାରିନଥିଲା।

ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ୧୭ ବର୍ଷ ଇତିହାସରେ ଫାଇନାଲ୍‌ରେ ଭାରତ ସର୍ବୋଚ୍ଚ ପ୍ରଥମ ପାଳି ସ୍କୋର୍‌ କରିଥିଲା। ବାର୍ବାଡସ୍‌ର ବ୍ରିଜଟାଉନ୍‌ସ୍ଥିତ କେନସିଙ୍ଗଟନ୍‌ ଓଭାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ୍‌ରେ ଭାରତ ୭ ୱିକେଟ୍ ବିନିମୟରେ ୧୭୬ ରନ୍ କରିବା ସହ ଏହି ରେକର୍ଡ କରିଥିଲ‌ା। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ ନାମରେ ଥିଲା। ଗତ ୨୦୨୧ ମସିହାରେ ଦୁବାଇରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଫାଇନାଲ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨ ୱିକେଟ୍ ବିନିମୟରେ ୧୭୩ ରନ୍ କରିଥିଲା। ପୂର୍ବରୁ ଏକ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ରେ ଭାରତର ପ୍ରଥମ ପାଳି ସର୍ବୋଚ୍ଚ ସ୍କୋର୍‌ ଥିଲା ୧୫୭/୫। ଯାହାକି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ୨୦୦୭ ସଂସ୍କରଣରେ ଜୋହାନ୍ସବର୍ଗରେ ପାକିସ୍ତାନ ବିପକ୍ଷରେ ସଂଗ୍ରହ କରି ଏହାକୁ ଡିଫେଣ୍ଡ୍ କରି ଜିତିଥିଲା।

ବିଶ୍ବକପ୍‌ ସାରା ବିଫଳତା ପରେ ବିଫଳତା ପାଇଥିବା ବିରାଟ କୋହଲି ଫାଇନାଲ୍‌ରେ କିନ୍ତୁ ଚମତ୍କାର ପାଳି ଖେଳିଥିଲେ। ପ୍ରଥମ ଓଭରରୁ ୧୫ ରନ୍ ଆଦାୟ କରିଥିବା କୋହଲି କିନ୍ତୁ ଦଳର ପ୍ରାରମ୍ଭିକ ବିପର୍ଯ୍ୟୟ କାରଣରୁ ଦାୟିତ୍ବପୂର୍ଣ୍ଣ ଭାବେ ଖେଳିବାକୁ ବାଧ୍ୟ ହୋଇଥିଲେ। ଏଥି ସହିତ ତାଙ୍କ ଟ୍ବେଣ୍ଟି-୨୦ ଖେଳ ଜୀବନରେ ସବୁଠାରୁ ମନ୍ଥରତମ ଅର୍ଦ୍ଧଶତକ ମଧ୍ୟ ଅର୍ଜନ କରିଥିଲେ। ଶନିବାର ସେ ୪୮ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ପରେ ଦ୍ରୁତ ଖେଳି ପରବର୍ତୀ ୧୧ ବଲ୍‌ରୁ ୨୬ ରନ୍ ଯୋଡ଼ିଥିଲେ। ପୂର୍ବରୁ କୋହଲିଙ୍କ ମନ୍ଥରତମ ଅର୍ଦ୍ଧଶତକ ଥିଲା ୪୭ ବଲ୍‌ରୁ। ଏହାକୁ ସେ ୨୦୧୬ରେ ଆଇପିଏଲ୍‌ରେ ପୁନେ ସୁପର ଜାଏଣ୍ଟ୍‌ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ହାସଲ କରିଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ତାଙ୍କ ମନ୍ଥରତମ ଅର୍ଦ୍ଧଶତକ ସେ ଗତ ୨୦୨୧ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ୪୫ ବଲ୍‌ରୁ ହାସଲ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking