22.1 C
Bhubaneswar
Wednesday, December 10, 2025
Homeଓଡିଶାଓ୍ୱାର୍ଲଡ୍ ସ୍କିଲ୍ ସେଣ୍ଟରରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଓ୍ୱାର୍ଲଡ୍ ସ୍କିଲ୍ ସେଣ୍ଟରରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତ୍ତା ଓ ଡିଜି଼ଟାଲ୍ ସ୍କିଲ୍ ରେ ସୁଦକ୍ଷ କରିବା ପାଇଁ ସରକାର ସଂକଳ୍ପବଦ୍ଧ: ମନ୍ତ୍ରୀ ଶ୍ରୀ ସ୍ୱାଇଁ
୭୦୦ ପ୍ରଶିକ୍ଷାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ, ବିଦେଶ ଯିବେ ୫୦ରୁ ଅଧିକ
ଭୁବନେଶ୍ୱର:  ରାଜ୍ୟର ଯୁବ ଶକ୍ତିଙ୍କୁ ପର୍ଯ୍ୟାପ୍ତ ସୁବିଧା-ସୁଯୋଗ ଯୋଗାଇ ଦେଇ ପ୍ରତିଭାମାନଙ୍କର ସମୁଚିତ ପ୍ରସ୍ପୁଟନ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ଆଜିର ପ୍ରଗତିଶୀଳ ଓ ପ୍ରତିଯୋଗିତା ମୂଳକ ସମୟରେ ଓଡିଶାକୁ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିଜିଟାଲ ଦକ୍ଷତାରେ ପାରଙ୍ଗମ ହେବାକୁ ପଡ଼ିବ, ଯାହାଦ୍ୱାରା ବିଶ୍ୱରେ ଆମେ ଆମ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା । ଏବଂ, ଆମ ନିଜର ତାସହ ରାଜ୍ୟ ତଥା ଦେଶର ବାସ୍ତବ ଉନ୍ନତି ସାଧିତ ହୋଇପାରିବ ବୋଲି ସ୍ଥାନୀୟ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଆୟୋଜିତ ବିଶ୍ୱ ଯୁବ ଦକ୍ଷତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଚଳିତ ବର୍ଷ ବିଶ୍ୱ ଯୁବ ଦକ୍ଷତା ଦିବସର ଶୀର୍ଷକ ରହିଛି ୟୁଥ୍ ଏମପାଓ୍ୱାରମେଣ୍ଟ ଥ୍ରୁ ଆର୍ଟିଫିସିଆଲ ଇନଟେଲିଜେନ୍ସ ଆଣ୍ଡ ଡିଜିଟାଲ ସ୍କିଲସ (“Youth Empowerment through Artificial Intelligence and Digital Skills”) ଏହି ଅବଲମ୍ବନରେ ଆପଣମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ ତାହେଲେ ଯାଇଁ ଆମେ ଆମର ସ୍ୱପ୍ନର ସମୃଦ୍ଧ ଓ ସମ୍ଭାନ୍ତ ଓଡିଶା ଗଠନ କରିପାରିବା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଶିକ୍ଷାର୍ଥୀ ମାନଙ୍କୁ କହିଛନ୍ତି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ସଚିବ ଶ୍ରୀ ଭୁପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଅଭିଭାଷଣରେ ପ୍ରତିଭାକୁ ଦକ୍ଷତାରେ ରୂପାନ୍ତରିତ କରିପାରିଲେ ହିଁ ବିଶ୍ୱ ଦରବାରରେ ଆମର ଚାହିଦା ବଢିବ । ଦିନକୁ ଦିନ ପ୍ରତିଯୋଗିତା ବଢ଼ିବାରେ ଲାଗିଛି ସେହି ଅନୁଯାଇ ପ୍ରଶିକ୍ଷାର୍ଥୀମାନେ ପରିଶ୍ରମ ଓ ପ୍ରଚେଷ୍ଟା ଅବ୍ୟାହତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଅବସରରେ କୋର୍ସ ମ୍ୟାନେଜର ତରଫରୁ ମହାକାଶ ପ୍ରଯୁକ୍ତିବିଦ୍ୟା ଦକ୍ଷତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ସମାରୋହରେ, ସଫଳତାର ସହ ତାଲିମ୍ ଶେଷ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ତାସହ ଓ୍ୱାର୍ଲଡ ସ୍କିଲ ସେଣ୍ଟରରେ ତାଲିମ୍ ହାସଲ କରି, ଜର୍ମାନୀ ଏବଂ ଜର୍ମାନ ଭାଷାଭାଷୀ ରାଷ୍ଟ୍ରରେ ନିଯୁକ୍ତି ପାଇବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ରାଜ୍ୟର ଉତ୍ସାହୀ ଉଦ୍ୟମୀମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ତିନି ଜଣ ଯୁବ ନାନୋ ୟୁନିକର୍ଣ୍ଣ ଉଦ୍ୟୋଗୀଙ୍କୁ ଏକ ଲକ୍ଷ ଟଙ୍କାର ସିଡ଼ ଫଣ୍ଡିଙ୍ଗ ପ୍ରଦାନ କରିଥିଲେ । ବିମାନ ଚଳାଚଳ କ୍ଷେତ୍ରରେ ତାଲିମ ପ୍ରାପ୍ତ ପ୍ରଶିକ୍ଷାର୍ଥୀମାନଙ୍କର ଏକ ପ୍ରେରଣାଦାୟୀ କ୍ଷୁଦ୍ର ଫିଲ୍ମ ପ୍ରଦର୍ଶିତ ହୋଇଥିଲା ।

ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ବିଦେଶରେ ନିଯୁକ୍ତି ପାଇବାକୁ ଚୟନ ହୋଇଥିବା ପ୍ରଶିକ୍ଷାର୍ଥୀ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ରରେ ସଫଳତାର ସହ ତାଲିମ ଶେଷ କରିଥିବା ୭୦୦ ପ୍ରଶିକ୍ଷାର୍ଥୀଙ୍କୁ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ବିଦେଶରେ ନିଯୁକ୍ତି ପାଇଁ ୫୦ରୁ ଅଧିକ ପ୍ରଶିକ୍ଷାର୍ଥୀ ମନୋନୀତ ହୋଇଛନ୍ତି । ସମାରୋହ ପରିପେକ୍ଷୀରେ ଆୟୋଜିତ ଏଣ୍ଟରପ୍ରେନିଓରସିପ୍ ପିଚ୍ ଫେଷ୍ଟରେ ପ୍ରଶିକ୍ଷାର୍ଥୀଙ୍କ ସୃଜନଶୀଳତା ଓ ଦକ୍ଷତାକୁ ପ୍ରତିବିମ୍ବିତ କରୁଥିବା ୪୯ଟି ନବୀନତାମୂଳକ ପ୍ରକଳ୍ପ ଉପସ୍ଥାପିତ ହୋଇଥିଲା। ସେଥିମଧ୍ୟରୁ ୬ ଟି ପ୍ରକଳ୍ପକୁ ଉତ୍କୃଷ୍ଟତା ଓ ସୃଜନଶୀଳତା ପାଇଁ ସମ୍ମାନିତ କରାଯାଇଥିଲା । ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟର ଯୁବ ଶକ୍ତିଙ୍କ ପ୍ରତିଭା ଓ ସାମର୍ଥ୍ୟର ଉଚ୍ଚପ୍ରଶଂସା କରିଥିଲେ । ବିଭାଗୀୟ ନିର୍ଦ୍ଦେଶକ ତଥା ଓ୍ୱାର୍ଲଡ ସ୍କିଲ ସେଣ୍ଟରର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ନାନୋ ସାଟେଲାଇଟ ଟ୍ରେନିଂ ଓ ଲଞ୍ଚିଂ ଉପରେ ଆଧାରିତ ଏକ କ୍ଷୁଦ୍ର ଫିଲ୍ମ ପ୍ରଦର୍ଶନ କରାଯାଇଥିଲା। ସମାରୋହରେ କେନ୍ଦ୍ରର ପ୍ରଶିକ୍ଷାର୍ଥୀ, ବରିଷ୍ଠ ଅଧିକାରୀ ଓ ପ୍ରଶିକ୍ଷକ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking