30.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶୱାର୍ଲ୍ଡ ହାପିନେସ୍ ରିପୋର୍ଟ: ଆମେରିକା, ଭାରତର ସ୍ଥିତି ଭଲ ନାହିଁ

ୱାର୍ଲ୍ଡ ହାପିନେସ୍ ରିପୋର୍ଟ: ଆମେରିକା, ଭାରତର ସ୍ଥିତି ଭଲ ନାହିଁ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୱେଲବିଙ୍ଗ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ବିଶ୍ୱ ସୁଖୀ ରିପୋର୍ଟ (ୱାର୍ଲ୍ଡ ହାପିନେସ୍ ରିପୋର୍ଟ)-୨୦୨୫ ପ୍ରକାଶ ପାଇଛି। ୧୪୭ ରାଷ୍ଟ୍ରଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟରେ ଫିନ୍‌ଲାଣ୍ଡ୍ ପୂର୍ବବତ୍ ନିଜର ପ୍ରଥମ ସ୍ଥାନ ବଜାୟ ରଖିଛି। ଏହାକୁ ମିଶାଇ କ୍ରମାଗତ ୮ମ ଥର ପାଇଁ ଫିନଲାଣ୍ଡ ଏହି ସ୍ଥାନ ବଜାୟ ରଖିଛି। ଅର୍ଥାତ୍ ବିଶ୍ୱର ସବୁଠାରୁ ସୁଖରେ ଅଛନ୍ତି ଫିନ୍‌ଲାଣ୍ଡବାସୀ। କିନ୍ତୁ ତାଲିକାର ସବୁଠାରୁ ନିମ୍ନରେ ଆଫଗାନିସ୍ତାନ ରହିଛି। ଆଫଗାନିସ୍ତାନବାସୀ ସବୁଠୁ ଅଧିକ ଖରାପ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ରିପୋର୍ଟ ଏହି ଦେଶକୁ ବିଶ୍ୱର ସର୍ବାଧିକ ଦୁଃଖୀ ରାଷ୍ଟ୍ର ଭାବେ ସ୍ଥାନିତ କରିଛି।

ଦୀର୍ଘବର୍ଷ ଧରି ଯୁଦ୍ଧଗ୍ରସ୍ତ ହୋଇ ରହିଥିବା ଆଫଗାନିସ୍ତାନରେ ଏବେ ଜୀବନଧାରଣ ସବୁଠାରୁ କଷ୍ଟକର ହୋଇପଡ଼ିଛି। ବିଶେଷକରି ତାଲିବାନ ପୁଣି କ୍ଷମତାକୁ ଫେରିବା ପରେ ଲୋକଙ୍କ ସ୍ଥିତି ବିଶେଷକରି ନାରୀମାନଙ୍କ ସ୍ଥିତି ଅତ୍ୟନ୍ତ ଦୁର୍ବିସହ ହୋଇପଡ଼ିଛି। ଗୋଟିଏ ପଟେ ଲୋକମାନେ ଦାରିଦ୍ର‌୍ୟ ସହ ଲଢୁଥିବାବେଳେ ଅନ୍ୟପଟେ ତାଲିବାନର ବିଭିନ୍ନ କଟକଣା ସ୍ଥିତିକୁ ଜଟିଳ କରିଛି। ଅନ୍ୟପକ୍ଷେ ଏହି ତାଲିକାର ୧୧୮ତମ ସ୍ଥାନରେ ରହିଛି ଭାରତ। ଯଦିଓ ୨୦୨୪ (୧୨୬ତମ ସ୍ଥାନ) ତୁଳନାରେ ଭାରତର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି କିନ୍ତୁ ଏପର୍ଯ୍ୟନ୍ତ ଭାରତର ସ୍ଥିତି ଉନ୍ନତ ଶ୍ରେଣୀକୁ ଆସିନାହିଁ। ଭାରତୀୟମାନେ ଏବେ ବି ଶାନ୍ତି ବା ସୁଖରେ ନାହାନ୍ତି। ରିପୋର୍ଟ ଅନୁସାରେ ଭାରତରେ ମୁଣ୍ଡପିଛା ଜିଡିପି ବଢୁଥିବା ସତ୍ତ୍ୱେ ଅସମାନତା ହାର ହ୍ରାସ ନପାଇବା ଚିନ୍ତାଜନକ। ସିଧାସଳଖ କହିଲେ ଭାରତରେ ଏବେ ଧନୀ-ଗରିବ ତାରତମ୍ୟ ଅଧିକ ରହିଛି। ୨୦୧୨ ତୁଳନାରେ ଏହି ତାଲିକାରେ ଭାରତର ସ୍ଥିତି ଆହୁରି ଖରାପ ହୋଇଛି। ଅନ୍ୟପକ୍ଷେ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ପାକିସ୍ତାନ, ନେପାଳର ସ୍ଥିତି କିନ୍ତୁ ଭାରତ ତୁଳନାରେ ଭଲ ରହିଛି।

ଏହି ତାଲିକାରେ ନେପାଳ ୯୨ତମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ସ୍ଥାନ ୧୦୯ ତମ ସ୍ଥାନରେ ରହିଛି। ସେହିପରି ଚୀନ୍ ୬୮ତମ ସ୍ଥାନରେ ରହିଥିବା ବେଳେ ଭାରତର ଅନ୍ୟ ୨ ପଡ଼ୋଶୀ ଦେଶ ଶ୍ରୀଲଙ୍କା ଓ ବାଂଲାଦେଶ ଯଥାକ୍ରମେ ୧୩୩ ଓ ୧୩୪ ତମ ସ୍ଥାନରେ ଅଛନ୍ତି। ସେହିପରି ଯଦି ବିଶ୍ୱର ସର୍ବବୃହତ୍ ଅର୍ଥବ୍ୟବସ୍ଥା ଭାବେ ପରିଚିତ ଆମେରିକା କଥା ଦେଖିବା ଏହାର ସ୍ଥିତି ମଧ୍ୟ ଖରାପ ରହିଛି। ତାଲିକାରେ ଆମେରିକାକୁ ୨୪ତମ ସ୍ଥାନ ମିଳିଛି। ପୂର୍ବବର୍ଷ ଆମେରିକା ଏହି ତାଲିକାର ୨୨ତମ ସ୍ଥାନରେ ରହିଥିବା ବେଳେ ଏଥର କିନ୍ତୁ ୨ଟି ସ୍ଥାନ ତଳକୁ ଖସିଆସିଛି। ତାଲିକାର ୨୩ତମ ସ୍ଥାନରେ ୟୁକେ ରହିଛି। ଫିନଲାଣ୍ଡ ପଛକୁ ଡେନ୍‌ମାର୍କ ଏହି ତାଲିକାର ୨ୟ ସ୍ଥାନରେ ରହିଛି। ସେହିପରି ଆଇସ୍‌ଲ୍ୟାଣ୍ଡ, ସ୍ୱିଡେନ୍‌, ନେଦରଲ୍ୟାଣ୍ଡ, କୋଷ୍ଟା ରିକା, ନରୱେ, ଇସ୍ରାଏଲ୍‌, ଲୁକ୍‌ଜମ୍‌ବର୍ଗ ଏବଂ ମେକ୍ସିକୋ ଯଥାକ୍ରମେ ୩ୟରୁ ୧୦ ସ୍ଥାନ ଅକ୍ତିଆର କରିଛନ୍ତି। ପ୍ରକାଶ, ୧୪୭ଟି ଦେଶର ଖୁସି ସ୍ତର ନିର୍ଣ୍ଣୟ କରିବା ପାଇଁ ସାମାଜିକ ସମର୍ଥନ, ସ୍ୱାସ୍ଥ୍ୟ, ସ୍ୱାଧୀନତା, ଉଦାରତା, ଦୁର୍ନୀତି ପ୍ରତି ଧାରଣା ଏବଂ ମୋଟ୍ ଘରୋଇ ଉତ୍ପାଦ ଭଳି ବିଭିନ୍ନ କାରଣଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking