ଭୁବନେଶ୍ୱର: ରାଜ୍ୟର ଦୀର୍ଘକାଳୀନ ଅଭିବୃଦ୍ଧି, ବିକାଶ କ୍ଷେତ୍ରରେ ସୁଦୃଢ଼ ସହଯୋଗ ଓ ସଂସ୍କାର ଆଭିମୁଖ୍ୟକୁ ଆଗକୁ ବଢ଼ାଇବା ଉପରେ ବିଶ୍ୱବ୍ୟାଙ୍କ ଏବଂ ଓଡ଼ିଶା ସରକାର ମିଳିତ ଭାବେ ଗୁରୁତ୍ୱ ଦେଇଛନ୍ତି। ସେହିପରି ଘରୋଇ କ୍ଷେତ୍ରରେ ଚାକିରି ପାଇଁ ଯୁବପିଢ଼ିଙ୍କୁ ଦକ୍ଷତା ପ୍ରଦାନ କରିବା, ଭିତ୍ତିଭୂମି ବିକାଶ ସହ ସାମାଜିକ କ୍ଷେତ୍ରର ଉନ୍ନତି ଆଣିବା ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଉପରେ ବି ଫୋକସ୍ ଦିଆଯାଇଛି। ଗୁରୁବାର ଲୋକସେବା ଭବନରେ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଅଜୟ ବାଙ୍ଗାଙ୍କ ସହ ଦୀର୍ଘ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ରାଜ୍ୟ ସରକାର ଆର୍ଥିକ ସଂସ୍କାର ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ବ୍ୟବସାୟ ଅନୁକୂଳ ଆଇନ ବି ଅଣାଯାଇଛି। ବିପୁଳ ନିବେଶକୁ ଆକର୍ଷିତ କରିଛି। ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷ କୋଟି ନିବେଶ ପ୍ରସ୍ତାବ ସହ ଆନ୍ଧ୍ର ପ୍ରଦେଶ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ତେଣୁ ବିଶ୍ୱବ୍ୟାଙ୍କ ସାୟତାରେ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭିତ୍ତିଭୂମି, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, କୃଷି ଓ ଆନୁସଙ୍ଗିକ କ୍ଷେତ୍ର ଏବଂ ପର୍ଯ୍ୟଟନରେ ନିବେଶ ବୃଦ୍ଧି କରି ଯୁବପିଢ଼ି ଏବଂ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ।
ବିଶ୍ୱ ବ୍ୟାଙ୍କ୍ର ଅଧ୍ୟକ୍ଷ ଶ୍ରୀ ବାଙ୍ଗା ରାଜ୍ୟର ବିକାଶ ପ୍ରୟାସ ଏବଂ ସଂସ୍କାର ଆଭିମୁଖ୍ୟକୁ ପ୍ରଶଂସା କରି କହିଛନ୍ତି ଯେ ରାଜ୍ୟର ଯୁବପିଢ଼ି ପାଇଁ ଅଧିକ ଘରୋଇ କ୍ଷେତ୍ରର ନିଯୁକ୍ତି ସୃଷ୍ଟି କରିବା ପାଇଁ ଦକ୍ଷତା ନିର୍ମାଣ ଉପରେ ଧ୍ୟାନ ଦେବାକୁ ପଡ଼ିବ। ବିଶେଷକରି ବୈଷୟିକ ସହାୟତା, ନୀତି ପରାମର୍ଶଦାତା ସେବା ଏବଂ ଆର୍ôଥକ ସହଯୋଗ ମାଧ୍ୟମରେ ରାଜ୍ୟକୁ ସମର୍ଥନ କରିବା ପାଇଁ ବିଶ୍ୱ ବ୍ୟାଙ୍କର ପ୍ରତିବଦ୍ଧତା ଅନସ୍ୱୀକାର୍ଯ୍ୟ। ଆଗାମୀ ଦିନରେ ସରକାରୀ-ବେସରକାରୀ ସହଭାଗିତା(ପିପିପି)କୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେବା ଜରୁରୀ। ଶେଷରେ “ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭: ବିକାଶିତ ଭାରତ, ବିକାଶିତ ଓଡ଼ିଶା’ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ବିଷୟରେ ଅବଗତ କରିଥିଲେ। ଉକ୍ତ ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଉନ୍ନୟନ କମିଶନର ଡିକେ ସିଂହ ଏବଂ ବିଶ୍ୱ ବ୍ୟାଙ୍କର ଅନ୍ୟ ପ୍ରତିନିଧିମାନେ ସାମିଲ ଥିଲେ।










