ନୂଆଦିଲ୍ଲୀ: ଆଗାମୀ ବିଶ୍ୱକପ୍ ଓ ଏସୀୟ କ୍ରୀଡ଼ାକୁ ଦୃଷ୍ଟିରେ ରଖି ଭାରତୀୟ ମହିଳା ହକି ଦଳ ପାଇଁ ବେଙ୍ଗାଲୁରୁଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି । ଏପ୍ରିଲ ୧ରୁ ୯ ତାରିଖ ପର୍ଯ୍ୟନ୍ତ ସାଇ ଉତ୍କର୍ଷ କେନ୍ଦ୍ରରେ ହେବାକୁ ଥିବା ଏହି ଶିବିର ପାଇଁ ହକି ଇଣ୍ଡିଆ ପକ୍ଷରୁ ୩୧ ଜଣିଆ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଉଭୟ ଅଭିଜ୍ଞ ଓ ନବାଗତାମାନଙ୍କୁ ସାମିଲ କରାଯାଇଛି । ଏହି ଦଳରେ ସବିତା ପୁନିଆ, ବିଚୁ ଦେବୀ ଖରିବ୍ରମ, ନିକି ପ୍ରଧାନ, ସାଲିମା ଟେଟେ, ନବନୀତ କୌର, ମନିଷା ଚୌହାନଙ୍କ ପରି ଅଭିଜ୍ଞ ଖେଳାଳି ଅଛନ୍ତି । ଶିବିରରେ ଖେଳାଳିମାନଙ୍କ ଫିଟନେସ୍ ବୃଦ୍ଧି, ଉପଯୁକ୍ତ ଭାରସାମ୍ୟ ଥିବା ଦଳ ଗଠନ ଓ ଅନ୍ୟାନ୍ୟ ରଣନୈତିକ ଯୋଜନା ଉପରେ ଗୁରୁତ୍ୱ ଦିଆଯିବ ।ଭାରତୀୟ ମହିଳା ଦଳ ନିକଟରେ ହାଇଦ୍ରାବାଦରେ ଆୟୋଜିତ ଏଫଆଇଏଚ୍ ବିଶ୍ୱକପ୍ କ୍ୱାଲିଫାୟର୍ସରେ ରୌପ୍ୟ ପଦକ ଜିତିବା ସହ ବିଶ୍ୱକପ୍ରେ ନିଜ ସ୍ଥାନ ସୁନିଶ୍ଚିତ କରିଥିଲା ।










