30.1 C
Bhubaneswar
Friday, September 20, 2024
Homeଓଡିଶାରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ଆଜି ବିପଦରେ: ବିଜେଡ଼ି

ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ଆଜି ବିପଦରେ: ବିଜେଡ଼ି

– ଗଭର୍ଣ୍ଣରଙ୍କ ପୁଅ ଘଟଣାରେ ରାଜ୍ୟ ସରକାରଙ୍କ ନୀରବତା ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି
– ରାଜ୍ୟ ସରକାର ଉତ୍ସବ ମନାଇବାରେ ମସଗୁଲ, ଆଇନ ଶୃଙ୍ଖଳା ପ୍ରତି ନିଘା ନାହିଁ
– ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ, ଶନିବାର ରାଜଭଵନ ସମ୍ମୁଖରେ ଗଣଧାରଣା

ଭୁୁବନେଶ୍ୱର : ବିଜୁ ଜନତା ଦଳ ତରଫରୁ ଆଜି ଶଙ୍ଖ ଭଵନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଦଳର ମୁଖପାତ୍ର ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀ ପ୍ରତି ହୋଇଥିବା ଅମାନବୀୟ ଅତ୍ୟାଚାର ଘଟଣାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି ଓ ମହିଳା ସୁରକ୍ଷା ବିପଦରେ ଅଛି ବୋଲି ଅଭିଯୋଗ କରିବା ସହ ଏହି ଘଟଣାକୁ ଦୃଢ଼ ପ୍ରତିବାଦ କରିବା ପାଇଁ ବିଜୁ ମହିଳା ଜନତା ଦଳ ତରଫରୁ ଶନିବାର ସକାଳେ, ରାଜ ଭଵନ ସମ୍ମୁଖରେ ଏକ ଗଣଧାରଣା ଦିଆଯିବ ବୋଲି ପ୍ରଵକ୍ତାମାନେ ସୂଚନା ଦେଇଥିଲେ। ତାଛଡ଼ା, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା କରା ଯାଇଥିବା ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବିକୁ ଦୋହରାଇ ଥିଲେ।

ଶ୍ରୀମତୀ ସୁଲତା ଦେଓ କହିଥିଲେ, ରାଜ୍ୟରେ ବିଜେପି ସରକାର ହେବା ଦିନଠାରୁ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ତଳକୁ ଯିବାରେ ଲାଗିଛି। ଗଭର୍ଣ୍ଣରଙ୍କ ପୁଅଙ୍କ ଦ୍ୱାରା ଏକ ସରକାରୀ ଅଧିକାରୀଙ୍କୁ ମାଡ଼ ମରା ଘଟଣାରେ ସରକାର କୌଣସି ପଦକ୍ଷେପ ନନେବା ରାଜ୍ୟରେ ଆଇନ ଶୃଙ୍ଖଳା ହୁଗୁଳା ହୋଇଯାଇଛି ବୋଲି ସ୍ପଷ୍ଟ ହୋଇଥିଲା। ସେହି ଘଟଣାରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଇଥିଲେ, ଆଜି ରାଜ୍ୟରେ ଏଭଳି ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳି ନଥାନ୍ତା ବୋଲି ଶ୍ରୀମତୀ ଦେଓ କହିଥିଲେ।

ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ ‘ମୋ ସରକାର’କୁ ହଟାଇ ଦିଆଗଲା ଯାହା ଫଳରେ ପୋଲିସ ପ୍ରଶାସନର ଉତ୍ତର ଦାୟିତ୍ୱ ହଟିଗଲା। ଆଜି ବିଜେପି ସରକାର ୧୦୦ ଦିନ ପୂର୍ତ୍ତିର ଉତ୍ସବ ମନାଇବାରେ ବ୍ୟସ୍ତ ଅଛନ୍ତି। ସେମାନଙ୍କର ମହିଳା ସୁରକ୍ଷା ଉପରେ ନିଘା ନାହିଁ। ରାଜ୍ୟର ଏକ ମଡେଲ ପୋଲିସ ଷ୍ଟେସନରେ ଏଭଳି ଜଘଣ୍ୟ ଘଟଣା ଘଟୁଛି, ସରକାର ନିଦାବିଷ୍ଣୁ ସାଜି ବସିଛନ୍ତି। ଓଡ଼ିଆ ଅସ୍ମିତା ନାରା ଦେଇ ସରକାରକୁ ଆସିଥିବା ବିଜେପିର କଣ ପୋଲିସ ଷ୍ଟେସନରେ ମହିଳାଙ୍କୁ ଅତ୍ୟାଚାର କରିବା ଓଡ଼ିଆ ଅସ୍ମିତା କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଥିଲେ। ଦୁଃଖ ଓ ପରିତାପର ବିଷୟ, ରାଜ୍ୟ ସରକାର ପୀଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଏହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି।

ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ଭରତପୁର ମଡେଲ ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ଲଗା ଯାଇଥିଲା, କିନ୍ତୁ ରହସ୍ୟମୟ ଭାବେ ଆଜି ସେଠାରୁ ଉଭାନ ହୋଇଯାଇଛି। ଏହି ସ୍ପର୍ଶକାତର ଘଟଣାର ସତ୍ୟାସତ୍ୟ ସିସିଟିଭି କ୍ୟାମେରାରୁ ଲୋକଲୋଚନକୁ ଆସି ପାରିଥାନ୍ତା। ଆମ ଦଳର ସଭାପତି ଶ୍ରୀ ନବୀନ ପଟନାୟକ ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବୀ କରିଛନ୍ତି। ଏହି ଘଟଣାକୁ ଦୃଢ଼ ପ୍ରତିବାଦ କରିବା ପାଇଁ ବିଜୁ ମହିଳା ଜନତା ଦଳ ତରଫରୁ ରାଜ ଭଵନ ସମ୍ମୁଖରେ ଏକ ଗଣଧାରଣା ଦିଆଯିବ ବୋଲି ଶ୍ରୀମତୀ ଦାସ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking