17.1 C
Bhubaneswar
Sunday, February 8, 2026
Homeଓଡିଶାଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

କଟକ: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ବିଜାପାଲି ଗାଁରେ ଗୁଣି ଗାରେଡି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯିବା ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇଛି। ମାନ୍ୟବର ଅତିରିକ୍ତ ଜିଲ୍ଲା ବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା 5 ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ 10 ହଜାର ଟଙ୍କା ଜରିମାନା ଓ ଜରିମାନା ପୈଠ ନକଲେ 6 ମାସ ଲେଖାଏଁ କୋଠର ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଆଦେଶ ପ୍ରଦାନ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ମାନେ ହେଉଛନ୍ତି, ସନ୍ତୋଷିନୀ ଜୟପୁରିଆ, ସୌଦାମିନୀ ଜୟପୁରିଆ, ସହଦେଵ ଜୟପୁରିଆ, ନଵୀନ ଭୋଇ ଓ ଅକ୍ଷୟ ଜୟପୁରିଆ ।

ମାମଲାର ବିବରଣୀରୁ ପ୍ରକାଶ ଯେ, ୦୨.୦୩.୨୦୧୭ ରେ ଗୁଣି ଗାରେଡି ସନ୍ଦେହରେ ରେଙ୍ଗାଲି ଥାନା ବିଜାପାଲି ଗାଁରେ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା। ହତ୍ୟାକାଣ୍ଡର ଶିକାର ହୋଇଥିଲେ ସଂଯୁକ୍ତା ଜୟପୁରିଆ। ତାଙ୍କ ଭଉଣୀ ମମତା ଜୟପୁରିଆ ରେଙ୍ଗାଲି ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ହତ୍ୟାକାଣ୍ଡ ଦିନ ବିଜପାଲି ଗାଁର ଦୋଳମଣି ଜୟପୁରିଆଙ୍କ ଘରେ ଶିବ ଗୁରୁ ପୂଜା ଅନୁଷ୍ଠିତ ହୋଇଥିଲା। ଦୋଳମଣିଙ୍କ ଝିଅ ସନ୍ତୋଷିନୀ ଜୟପୁରିଆ ଓ ସୌଦାମିନୀ ଜୟପୁରିଆ ନିଜ ଘରେ ଶିବ ଗୁରୁ ପୂଜାର ଆୟୋଜନ କରିଥିଲେ।

ହତ୍ୟାର ଶିକାର ହୋଇଥିବା ସଂଯୁକ୍ତା ନିଜ ବାପା, ମା’ ଓ ଅଭିଯୋଗ କରିଥିବା ଭଉଣୀ ମମତାଙ୍କ ସହ ମିଶି ଦୋଳମଣିଙ୍କ ଘରକୁ ପୂଜାରେ ଯୋଗ ଦେବାକୁ ଯାଇଥିଲେ। ପୂଜା ସମୟରେ ଶିବ ଗୁରୁଙ୍କ ଆତ୍ମା ସନ୍ତୋଷିନୀ ଓ ସୌଦାମିନୀଙ୍କ ଶରୀରରେ ପ୍ରବେଶ କରିଛି ଏବଂ ସଂଯୁକ୍ତା ଦୁଷ୍ଟ ଆତ୍ମା (କଳା ଯାଦୁ) ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ସେଥି ନିମନ୍ତେ ତାଙ୍କ ମୁଣ୍ଡ କେଶ କାଟିବା ପରେ ତାକୁ ଆତ୍ମା ଛାଡି ଚାଲିଯିବ ବୋଲି କହିଥିଲେ । ସେହି ଅନୁଯାୟୀ, ରାତି ପ୍ରାୟ ୮ଟାରେ ପୂଜାର୍ଚ୍ଚନା କରି ସଂଯୁକ୍ତାଙ୍କୁ ସମ୍ପୂର୍ଣ୍ଣ ଲଣ୍ଡା କରି ଦେଇଥିଲେ । ଏହା ବ୍ୟତୀତ ଉଭୟ ସନ୍ତୋଷିନୀ ଓ ସୌଦାମିନୀ ତାଙ୍କ ଭଉଣୀଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କ ଦେହ ଉପରେ ଚଢି ନାଚିଥିଲେ। ଏହା ସହ ଦୁଷ୍ଟ ଆତ୍ମାକୁ ଶରୀରରୁ ଦୂର କରିବା ପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ଧୂପକାଠି ଦ୍ୱାରା ତାଙ୍କ ଶରୀରରେ ଚେଙ୍କ ମଧ୍ୟ ଦେଇଥିଲେ। ଏତିକିରେ ସେମାନଙ୍କ ନିର୍ଯାତନା ଥମି ନ ଥିଲା। ସଂଯୁକ୍ତାଙ୍କୁ ବଳଦ ଓ ତ୍ରିଶୂଳର ପଥର ମୂର୍ତ୍ତି ମାଧ୍ୟମରେ ମୁଣ୍ଡକୁ ଲଗାତାର ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କ ବାରମ୍ବାର ଆକ୍ରମଣ ଫଳରେ କିଛି ସମୟ ପରେ ସଂଯୁକ୍ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଏ ସଂକ୍ରାନ୍ତରେ ମମତା ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ। ମାମଲାଟି ଅତ୍ୟନ୍ତ ସମ୍ବେଦନଶୀଳ ଥିବାରୁ ପରବର୍ତ୍ତୀ ସମୟରେ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଉଦ୍ଦେଶ୍ୟ ନେଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରାଯାଇଥିଲା। ଇନ୍ସପେକ୍ଟର ସବିତା ସାହୁ ତଦନ୍ତ ଦାୟିତ୍ୱ ନେଇ ମାମଲାର ବିଭିନ୍ନ ଦିଗ, ସାକ୍ଷୀ, ଅଭିଯୁକ୍ତଙ୍କ ବୟାନକୁ ଭିତ୍ତି କରି ୭ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨୮.୦୬.୨୦୧୭ରେ ଚାର୍ଜସିଟ୍ ଦାଖଲ କରିଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking