ନୂଆଦିଲ୍ଲୀ : ଦିଲ୍ଲୀର ଶାହଦରାର ବିବେକ ବିହାର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ କାଠ ପେଢି ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିବେକାନନ୍ଦ ମିଶ୍ରଙ୍କୁ ପଚରା ଉଚରା ପାଇଁ ଅଟକ ରଖିଛି । ଶୁକ୍ରବାର ରାତିରେ ଦିଲ୍ଲୀର ଶାହଦରାର ବିବେକ ବିହାର ଅଞ୍ଚଳର ଏକ ଘର ଭିତରେ ଥିବା କାଠ ପେଢି ଭିତରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମହିଳାଙ୍କ ବୟସ ୪୦ ବର୍ଷ । ବିବେକ ବିହାର ପୋଲିସ ଷ୍ଟେସନକୁ ସେହି ଅଞ୍ଚଳର ଲୋକମାନେ ଏକ ଡିଡିଏ ଫ୍ଲାଟରୁ ଦୁର୍ଗନ୍ଧ ଆସୁଥିବା ବିଷୟରେ ଜଣାଇଥିଲେ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଡିସିପି ଯାଦବ ସୂଚନା ଦେଇଛନ୍ତି । ଆହୁରି କହିଛନ୍ତି ,ମହିଳାଙ୍କ ଗଳିତ ମୃତଦେହକୁ ଏକ ବ୍ୟାଗ ଭିତରେ ରଖାଯାଇ ତାକୁ କମ୍ବଳରେ ଗୁଡାଇ କାଠ ପେଢି ଭିତରେ ଧୁପକାଠି ଦେଇ ରଖିଥିଲେ । ଏହା ଦୁଇରୁ ତିନି ଦିନ ପୂର୍ୱର ଘଟଣା ବୋଲି ଜଣାପଡିଛି । ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିବେକାନନ୍ଦ ମିଶ୍ର ଗୁରୁବାର ରାତି ଏବଂ ଶୁକ୍ରବାର ଅପରାହ୍ନରେ ଫ୍ଲାଟକୁ ଆସିଥିଲେ । ଘଟଣାସ୍ଥଳରେ ଫରେନସିକ ଦଳ ପହଞ୍ଚି ଯାଞ୍ଚ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚରା କରୁଛି ।