15.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପ୍ରେମ ନିବେଦନ ଗ୍ରହଣ ନ କରିବାରୁ ମହିଳାଙ୍କ ବୋମା ଧମକ

ପ୍ରେମ ନିବେଦନ ଗ୍ରହଣ ନ କରିବାରୁ ମହିଳାଙ୍କ ବୋମା ଧମକ

ନୂଆଦିଲ୍ଲୀ: ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାର ପ୍ରତିଶୋଧ ମାମଲା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଚେନ୍ନାଇର ଜଣେ ୩୦ ବର୍ଷୀୟା ରୋବୋଟିକ୍ସ ଇଞ୍ଜିନିୟର ମିଛ ବୋମା ଧମକ ମାଧ୍ୟମରେ ୧୧ଟି ରାଜ୍ୟରେ ଚହଳ ପକାଇଛନ୍ତି । ସେ ଯେଉଁ ବ୍ୟକ୍ତିଙ୍କୁ ଭଲପାଉଥିଲେ, ତାଙ୍କ ପ୍ରେମ ନିବେଦନକୁ ବ୍ୟକ୍ତ ଜଣକ ଗ୍ରହଣ କଲେ ନାହିଁ । ସେତିକି ନୁହେଁ, ନିକଟରେ ଅନ୍ୟଜଣେ ମହିଳାଙ୍କୁ ସେ ବିବାହ ମଧ୍ୟ କରିଥିଲେ । ଉକ୍ତ ମହିଳା ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ତାଙ୍କୁ ହତାଦର କରିଥିବା ବ୍ୟକ୍ତିଙ୍କ ଉପରେ ପ୍ରତିଶୋଧ ନେବାକୁ ସେ ନିଷ୍ପତ୍ତି ନେଲେ ।

୩୦ ବର୍ଷୀୟା ରିନି ଜୋଶିଲଡା ପୁଲିସକୁ ଚକ୍‌ମା ଦେବା ପାଇଁ ଭର୍ଚୁଆଲ ପ୍ରାଇଭେଟ୍‌ ନେଟ୍‌ୱର୍କ ଓ ନକଲି ଇମେଲ୍‌ ଆଇଡି ଜରିଆରେ ୧୧ ରାଜ୍ୟକୁ ମିଛ ବୋମା ଧମକ ଦେଲେ । ଏ ସମସ୍ତ ରାଜ୍ୟର ପୁଲିସ ପାଇଁ ମାମଲାଟି ଚିନ୍ତା ବଢ଼ାଇଲା । ଏତିକିବେଳେ ରିନି ଗୋଟିଏ ଭୁଲ କରିଦେଲେ, ଯାହାର ଫଳସ୍ୱରୂପ ପୁଲିସ ତାଙ୍କ ପାଖରେ ପହଞ୍ଚିବାରେ ସଫଳ ହେଲା । ପୁଲିସ ଅନୁସାରେ, ରିନି ଚେନ୍ନାଇରୁ ଇଞ୍ଜିନିୟରିଂ ଶେଷ କରି ରୋବୋଟିକ୍ସ କୋର୍ସ କଲେ । ଚେନ୍ନାଇରେ ଡେଲଇଟ୍‌ରେ ଜଣେ ବରିଷ୍ଠ ପରାମର୍ଶଦାତା ଭାବେ ସେ କାମ କରୁଥିଲେ । ବେଙ୍ଗାଲୁରୁରେ ଏକ ପ୍ରୋଜେକ୍ଟ ସମୟରେ ଦିଭିଜ ପ୍ରଭାକରଙ୍କ ସହ ତାଙ୍କର ସାକ୍ଷାତ ହେଲା । ତାଙ୍କ ପ୍ରତି ରିନିଙ୍କ ମନରେ ଭଲପାଇବା ସୃଷ୍ଟି ହେଲା । କିନ୍ତୁ ତାହା ଏକତରଫା ଥିଲା । ଦିଭିଜ କେବେ ରିନିଙ୍କ ଭାବନାକୁ ସମର୍ଥନ କରିନଥିଲେ । ଗତ ଫେବ୍ରୁଆରୀରେ ଅନ୍ୟ ଜଣେ ମହିଳାଙ୍କୁ ସେ ବିବାହ କରିଥିଲେ । ରିନି ଏଥିରେ ଅତ୍ୟନ୍ତ କ୍ଷୁବ୍ଧ ହୋଇଗଲେ ଏବଂ ଦିଭିଜଙ୍କ ଉପରେ ଭୟଙ୍କର ପ୍ରତିଶୋଧର ଯୋଜନା କଲେ ।

ଦିଭିଜଙ୍କ ନାଁରେ ସେ ଅନେକ ନକଲି ଇମେଲ୍‌ ଆଇଡି ଖୋଲିଲେ । ଏହା ମାଧ୍ୟମରେ ସ୍କୁଲ, ହସ୍ପିଟାଲ ଓ କ୍ରୀଡ଼ା ସ୍ଥଳୀଗୁଡ଼ିକୁ ବୋମା ଧମକପୂର୍ଣ୍ଣ ମେସେଜ୍‌ ପଠାଇବା ଆରମ୍ଭ କଲେ । କେବଳ ଅହମଦାବାଦର ୨୧ ସ୍ଥାନକୁ ବୋମାରେ ଉଡ଼ାଇବାକୁ ରିନି ଧମକ ଦେଲେ । ତନ୍ମଧ୍ୟରେ ମୋଟେରା ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌, ସରଖେଜ ସ୍ଥିତ ଜେନେଭା ଲିବରାଲ ସ୍କୁଲ ଓ ଏକ ସିଭିଲ ହସ୍ପିଟାଲ ଥିଲା । ସାର୍ବଜନୀନ ଶୋଭାଯାତ୍ରା ଓ ଭିଭିଆଇପିଙ୍କ ଗସ୍ତ ପୂର୍ବରୁ ୧୧ ରାଜ୍ୟକୁ ଏହି ଧମକପୂର୍ଣ୍ଣ ମେସେଜ୍‌ ସେ ଦେଇଥିଲେ । ଫଳରେ ଏ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ବିହାର, ତେଲଙ୍ଗାନା, ପଞ୍ଜାବ, ମଧ୍ୟପ୍ରଦେଶ ଓ ହରିୟାଣା ଆଦି ରାଜ୍ୟକୁ ରିନି ବୋମା ଧମକ ଜରିଆରେ ପୁଲିସକୁ ବଡ଼ ଚାଲେଞ୍ଜ ଦେଇଥିଲେ । ଗତ ୧୨ ତାରିଖରେ ଏୟାର ଇଣ୍ଡିଆର ଅହମଦାବାଦ-ଲଣ୍ଡନ ବିମାନ ଉଡ଼ାଣ ପରେ ପରେ ଦୁର୍ଘଟଣାର ଶିକାର ହୋଇଥିଲା । ବିଜେ ମେଡିକାଲ କଲେଜ ବିଲ୍ଡିଂରେ ବିମାନ ମାଡ଼ ହେବାରୁ ବିସ୍ଫୋରଣ ହୋଇଥିଲା । ଦୁର୍ଘଟଣା ପରେ କଲେଜ ପ୍ରଶାସନ ପାଖକୁ ଏକ ଇମେଲ୍‌ ଆସିଥିଲା । ଏଥିରେ ଲେଖାଥିଲା ‘ମୁଁ ଭାବୁଛି ଆପଣ ଆମ ଶକ୍ତିକୁ ଜାଣିପାରିଥିବେ । ଯେମିତିକି ଆମେ ଆପଣଙ୍କୁ ଗତକାଲି ମେଲ୍‌ କରିଥିଲୁ, ଆମ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ଯାତ୍ରା କରୁଥିବା ଏୟାର ଇଣ୍ଡିଆ ବିମାନକୁ ଆମେ ଉଡ଼ାଇଦେଲୁ । ଆମେ ଜାଣୁ ଯେ ପୁଲିସ ଏହି ଧମକକୁ ମିଛ ବୋଲି ଭାବି ଅଣଦେଖା କଲା । ଆମ ପାଇଲଟ୍‌ଙ୍କୁ ଧନ୍ୟବାଦ । ଏବେ ଆପଣ ଜାଣିଥିବେ ଯେ ଆମେ ଖେଳୁନାହୁଁ ।’ ଏହି ମେଲ୍‌କୁ ଟ୍ରେସ୍‌ କରିବା ପରେ ପୁଲିସ ରିନିଙ୍କ ଠିକଣା ପାଇଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking