14.1 C
Bhubaneswar
Thursday, January 15, 2026
Homeଓଡିଶାହାତୀ ଆକ୍ରମଣରେ ମହିଳା ମୃତ

ହାତୀ ଆକ୍ରମଣରେ ମହିଳା ମୃତ

ବିଶୋଇ: ଦାନ୍ତକାଠି ସଂଗ୍ରହ କରୁଥିବା ବେଳେ ମୟୂରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଯୋଡ଼ିଆ ପଞ୍ଚାୟତସ୍ଥିତ ଗାରଗାଡି ଗ୍ରାମ ସନ୍ନିକଟ ଜଙ୍ଗଲରେ ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୧ ବର୍ଷ ବୟସର ପୁଅ ଅଳ୍ପକେ ବର୍ତ୍ତି ଯାଇଛି। ମୃତ ମହିଳା ଜଣଙ୍କ ହେଲେ ଗାରଗାଡି ଗ୍ରାମର ବାଟା ନାଏକଙ୍କ ବିବାହିତା ଝିଅ ଚାର୍ମୀ ନାଏକ(୨୭)। ସୂଚନା ଅନୁସାରେ ଚାର୍ମୀ ନାଏକ ଆଜି ସକାଳ ସମୟରେ ଦାନ୍ତକାଠି ଆଣିବା ପାଇଁ ନିଜ ଶିଶୁପୁତ୍ରକୁ ଧରି ଗ୍ରାମ ସନ୍ନିକଟ ଜଙ୍ଗଲକୁ ଯାଇଥିଲେ।

ଶିଶୁପୁତ୍ରକୁ ଗୋଟିଏ ସ୍ଥାନରେ ଛାଡ଼ି ଦେଇ ଜଙ୍ଗଲ ଭିତରେ ଦାନ୍ତକାଠି ସଂଗ୍ରହ କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ଏକ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ଉକ୍ତ ହାତୀଟି ଚାର୍ମୀଙ୍କୁ ଦଳି ଚକଟି ଦେଇଥିଲା। ଘଟଣାସ୍ଥଳରେ ହିଁ ଚାର୍ମୀଙ୍କ ମୃତ୍ୟୁ ଘଟିଥିଲା। ମଧ୍ୟାହ୍ନ ସମୟରେ ସ୍ଥାନୀୟ ଲୋକେ ଚାର୍ମୀଙ୍କ ୧ ବର୍ଷ ବୟସର ପୁଅକୁ ଜଙ୍ଗଲ ପାଖରେ ଦେଖି ସନ୍ଦେହ କରିଥିଲେ। ଏହି ସମୟରେ ଶିଶୁପୁତ୍ର କାନ୍ଦୁଥିଲା। ନିଷ୍ପାପ ଶିଶୁ କିଛି କହିପାରୁ ନଥିବାରୁ ସନ୍ଦେହରେ ଲୋକେ ଆଖପାଖରେ ବୁଲି ଘଟଣା ସଂପର୍କରେ ଅଧିକ ଅବଗତ ହୋଇଥିଲେ। ସେମାନେ ଚାର୍ମୀଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ।

ଘଟଣାସ୍ଥଳକୁ ବନ କର୍ମଚାରୀମାନେ ପହଞ୍ଚି ମହିଳାଙ୍କର ମୃତଦେହ ଜବତ କରିଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି। ବନ ବିଭାଗର ଅଧିକାରୀମାନେ ଘଟଣାରେ ଅଧିକ ତଦନ୍ତ ଚଳାଇଛନ୍ତି। ସୂଚନାଥାଉକି, ଲୁହାକାନି ପଞ୍ଚାୟତସ୍ଥିତ କାଶୀପେଣ୍ଟ ଗ୍ରାମର କୁଣ୍ଡିଆ ନାଏକଙ୍କୁ ଚାର୍ମୀ ବିବାହ କରିଥିବା ବେଳେ  କିଛି ମାସ ପୂର୍ବରୁ ସେ ନିଜ ବାପା ଘର ଗାରଗାଡି ଗ୍ରାମକୁ ଆସିଥିଲେ। ଚାର୍ମୀଙ୍କ ପରିବାରକୁ ଆର୍ଥିକ ସହାୟତା  ଓ ଶିଶୁପୁତ୍ରର ଯତ୍ନ ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking