ବରଗଡ଼: ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁବରଣ ହୋଇଛି । ମହିଳା ଜଣକ ଗଣନାଥ ମଲ୍ଲିକଙ୍କ ଧର୍ମପତ୍ନୀ ଯଶୋଦା ମଲ୍ଲିକ(୪୫) ବୋଲି ଚିହ୍ନଟ ହୋଇଛନ୍ତି । ଘଟଣା ସୂତ୍ରରୁ ଜଣା ପଡିଛି ଯେ ଆଜି ସକାଳେ ଘରୁ ବାହାରି ନିଜ ପରିବାର ପେଟ ପାଟଣା ପାଇଁ ଅନ୍ୟର ବିଲକୁ ଧାନ କାଟିବା ପାଇଁ ଯଶୋଦା ଯାଇଥିଲେ । କିଛି ସମୟ ଧାନ କାଟିବା ପରେ ପ୍ରବଳ ବର୍ଷା ଯୋଗୁଁ ଘରକୁ ଚାଲି ଆସୁଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ଘଟିଛି । ଗୁରୁବାର ସକାଳ ୧୧ ଘଣ୍ଟା ସମୟରେ ଘଟଣାଟି ଘଟିଛି। ଖବର ପାଇବା ମାତ୍ରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ୧୩ ବର୍ଷର ଗୋଟିଏ ପୁଅ ଓ ୯ ବର୍ଷର ଗୋଟିଏ ଝିଅକୁ ଛାଡି ଚାଲି ଯାଇଛନ୍ତି। ମୃତ ମହିଳାଙ୍କୁ ଅତାବିରା ଚିକିତ୍ସାଳୟକୁ ଅଣାଯାଇଥିଲା ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।