କୋରାପୁଟ: କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି ପନିପରିବା ବିକ୍ରି ପାଇଁ ନେଉଥିବା ବେଳେ ଅଟୋଟି ଓଲଟି ପଡିବାରୁ ସ୍ତ୍ରୀ ଯୋଗେଶ୍ୱରି ନାୟକ (୨୦)ଙ୍କ ମୃତ୍ୟୁ ହୋଇଛି । ଅଟୋ ଚାଳକ ସ୍ବାମୀ ବାବୁଲି ପଟ୍ଟନାୟକ ସାମାନ୍ୟ ଆହତ ହୋଇଛନ୍ତି ।ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦୁହିଁଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଉପସ୍ଥିତ ଡାକ୍ତର ଯୋଗେଶ୍ଵରିଙ୍କୁ ମୃତ ଘୋଷଣା କରିଥିଲେ । ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦମ୍ପତି ଦୁହେଁ ନିଜ ଗ୍ରାମ ବନମାଳୀପୁଟରୁ ନିଜେ ଓ ଗ୍ରାମବାସୀଙ୍କ ଠାରୁ ଉତ୍ପାଦିତ ପନିପରିବା ସଂଗ୍ରହ କରି ଅଟୋ ଯୋଗେ ନାରଜିପୁଟ ଓ ପଣସପୁଟ ଗ୍ରାମକୁ ବିକ୍ରି ପାଇଁ ଯାଉଥିଲେ । ନାରଜିପୁଟ ନିକଟରେ ଅଟୋଟି ଭାରସ୍ୟାମ ହରାଇ ଓଲଟି ପଡ଼ିବାରେ ଅଟୋ ତଳେ ଯୋଗେଶ୍ଵରି ଚାପି ହୋଇ ଯାଇଥିଲେ । ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।










