22.1 C
Bhubaneswar
Tuesday, March 25, 2025
Homeଓଡିଶାବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କର

ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କର

ଭୁବନେଶ୍ୱର: ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର କର, ଜନବିରୋଧୀ ପ୍ରି-ପେଡ଼୍ ସ୍ମାର୍ଟମିଟର ସଂଯୋଗ ବର୍ଜନ କର, ନିର୍ବାଚନ ପ୍ରତିଶୃତି ଅନୁଯାୟୀ ପ୍ରତି ଉପଭୋକ୍ତାଙ୍କୁ ମାସରେ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଯୋଗାଅ, କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ମାଗଣାରେ ବିଦ୍ୟୁତ୍ ଯୋଗାଅ, ଓ.ଇ.ଆର.ସି. ଏବଂ ଟାଟା କମ୍ପାନୀର ଶୋଷଣ ଏବଂ ଜୁଲମ ବନ୍ଦ କର ଏବଂ ବିଦ୍ୟୁତର ଘରୋଇକରଣ ବନ୍ଦ କର ଆଦି ଦାବିରେ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବା ପାଇଁ ସି.ପି.ଆଇ.(ଏମ୍‌) ଆହ୍ୱାନ କରିଛି । ସଙ୍ଗଠିତ ପ୍ରତିବାଦ/ପ୍ରତିରୋଧ ଆନ୍ଦୋଳନ ଜରିଆରେ ହିଁ ସାଧାରଣ ଜନତା ଏହି ଶୋଷଣ ଏବଂ ଜୁଲମରୁ ନିସ୍ତାର ପାଇବେ ବୋଲି ସି.ପି.ଆଇ.(ଏମ୍‌) କହିଛି । ରାଜ୍ୟରେ ବିଦ୍ୟୁତ୍ ସଂସ୍କାର ନୀତି ପ୍ରଣୟନ କରିବା ତତ୍କାଳୀନ ସରକାରଙ୍କ ଏକ ଦୁରଦୃଷ୍ଟି ହୀନ ଜନବିରୋଧୀ ଏବଂ କର୍ପୋରେଟ୍ ସମର୍ପିତ ଐତିହାସିକ ଭୁଲ ଥିଲା । ପରବର୍ତ୍ତୀ ସମୟରେ ଯେଉଁ ସରକାରମାନେ ଏହି ଜନବିରୋଧୀ ଏବଂ ଐତିହାସିକ ଭୁଲ ନୀତିକୁ କାର୍ଯ୍ୟକାରୀ କରିଛନ୍ତି, ସେମାନେ ଆଜିର ବିପର୍ଯ୍ୟୟ ପାଇଁ ଦାୟୀ । ସୁତରାଂ ଟାଟା ହଟାଅ-ବିଦ୍ୟୁତ୍ ବଞ୍ଚାଅ-ଓଡ଼ିଶା ବଞ୍ଚାଅ ଏବଂ ଉପଭୋକ୍ତା ମାନଙ୍କୁ ସୁରକ୍ଷିତ କରିବା ଆଜିର ଆହ୍ୱାନ ବୋଲି ସି.ପି.ଆଇ.(ଏମ୍‌) କହିଛି ।

କିଟ୍ ଡ଼ିମ୍‌ଡ଼ ବିଶ୍ୱବିଦ୍ୟାଳୟର ଜନୈକା ଛାତ୍ରୀଙ୍କୁ ବ୍ୟବସ୍ଥାଗତ ହତ୍ୟା, ଜମି କେଳେଙ୍କାରୀ ଏବଂ ଅନ୍ୟାନ୍ୟ ସମସ୍ତ ସଙ୍ଗୀନ ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ସରକାର ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ କମିଶନ ଦ୍ୱାରା ତଦନ୍ତ କରିବା ଦାବିକୁ ସି.ପି.ଆଇ.(ଏମ୍‌) ପୁନର୍ବାର ଦୃଢ ଭାବେ ଉପସ୍ଥାପନ କରିଛି । କିଟ୍‌ରେ ମୃତ୍ୟୁ ବରଣ କରିଥିବା ଜନୈକା ଛାତ୍ରୀ ୧୧ମାସ ପୂର୍ବରୁ ଅର୍ଥାତ୍ ୧୨/୩/୨୦୨୪ ତାରିଖରେ ତାଙ୍କ ପ୍ରତି ଯୌନ ନିର୍ଯ୍ୟାତନା ହେଉଛି ବୋଲି କିଟର ସମସ୍ତ ଉଚ୍ଚ କମର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ବୋଲି ଗତକାଲି ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ଏହା ସବୁଠାରୁ ଉଦବେଗଜନକ ବିଷୟ ବୋଲି ସି.ପି.ଆଇ.(ଏମ୍‌) କହିଛି ।

ସେହିଭଳି ପୂର୍ବତଟ ରେଳପଥକୁ ବିକଳାଙ୍ଗ କରି ବିଶାଖାପାଟଣା ଏବଂ ବିଜୟୱାଡ଼ା ଡ଼ିଭିଜନକୁ ଗୁଣ୍ଟୁର ଓ ଗୁଣ୍ଟକଲ ଡ଼ିଭିଜନ ସହ ଦକ୍ଷିଣତଟ ରେଳବାଇ ଜୋନ୍‌ରେ ରଖାଯାଇଛି । ଏହାଦ୍ୱାରା ପୂର୍ବତଟ ରେଳପଥ ବାର୍ଷିକ ୧୦,୦୦୦ କୋଟି ଟଙ୍କା ରାଜସ୍ୱ କ୍ଷତି ସହିବା ସହିତ ୭୫% କର୍ମଚାରୀ ମଧ୍ୟ ଦକ୍ଷିଣତଟ ରେଳବାଇ ଜୋନକୁ ଚାଲିଯିବେ । ଯଦି କେନ୍ଦ୍ର ସରକାର ଓ ରେଳବାଇ ବିଭାଗ ଆନ୍ଧ୍ରପ୍ରଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟଭିତ୍ତିକ ରେଳବାଇ ଜୋନକୁ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି କରିଛନ୍ତି ତେବେ ଓଡ଼ିଶାର ଯେଉଁ ସମସ୍ତ ଅଞ୍ଚଳ ଓ ରେଳପଥ ଦକ୍ଷିଣପୂର୍ବ, ଦକ୍ଷିଣପୂର୍ବ କେନ୍ଦ୍ରୀୟ ରେଳପଥ ମଧ୍ୟରେ ଏପର୍ଯ୍ୟନ୍ତ ରହିଛି, ଅର୍ଥାତ୍ ରାଉରକେଲା, ବନ୍ଧମୁଣ୍ଡା, ରାଜଗାଙ୍ଗପୁର ଠାରୁ ଝାରସୁଗୁଡ଼ା, ଇବ୍‌, ବେଲପାହାଡ଼, ବ୍ରଜରାଜନଗର, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାକୁ ଓଡ଼ିଶାର ସ୍ୱାର୍ଥ ପାଇଁ ପୂର୍ବତଟ ରେଳବାଇ ଜୋନକୁ ଆଣିବା ନିମନ୍ତେ ସି.ପି.ଆଇ.(ଏମ୍‌) ଦାବି କରିଛି ।

ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ନୀରବ ରହିବା ଘଟଣାକୁ ସି.ପି.ଆଇ.(ଏମ୍‌) ତୀବ୍ର ସମାଲୋଚନା କରିବା ସହିତ ମାଲକାନଗିରି ଜିଲ୍ଲାର କ୍ଷତିଗ୍ରସ୍ତ ହେଉଥିବା ୧୨ଟି ପଞ୍ଚାୟତ ଜନସାଧାରଣଙ୍କର ସଂପୂର୍ଣ୍ଣ କ୍ଷତିଭରଣା ସହିତ ଉପଯୁକ୍ତ ଭାବେ ଥଇଥାନ ଏବଂ ପୁନର୍ବାସ ନୀତିକୁ ଲାଗୁ କରିବା ପାଇଁ ଦାବି କରାଯାଇଛି । ପୋଲାଭରମ୍ ପ୍ରକଳ୍ପର ଉଚ୍ଚତା ହ୍ରାସ କରିବା, ୨୦୦୬ ଜଙ୍ଗଲ ଅଧିକାର ଆଇନ୍ ଏବଂ ୧୯୯୬- ପେଶା ଆଇନ୍‌କୁ କଡ଼ାକଡ଼ି ଭାବେ କାର୍ଯ୍ୟ କରିବା ପାଇଁ ଦାବି କରାଯାଇଛି । ଏହି ସମସ୍ତ ପ୍ରମୁଖ ପ୍ରସଙ୍ଗ ସହିତ ‘ମନରେଗା’ ଯୋଜନାରେ ଇଚ୍ଛୁକ ସମସ୍ତ ଦରଖାସ୍ତଧାରୀଙ୍କୁ ଦୈନିକ ମଜୁରୀ ୬୦୦ଟଙ୍କା ଏବଂ ୧୦୦ ଦିନର କାମକୁ ସୁନିଶ୍ଚିତ କରିବା, ସମସ୍ତ ଗୃହହୀନ ପରିବାରଙ୍କୁ ଘରଡ଼ିହ ପଟ୍ଟା ପ୍ରଦାନ, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ପଟ୍ଟା ପ୍ରଦାନ, ଖଣି ଉତ୍ତୋଳନ ଅଞ୍ଚଳରେ ‘ପେଶା’ ଏବଂ ‘ଜଙ୍ଗଲ ଆଇନ୍‌’ ନିୟମ ଅନୁଯାୟୀ ଗ୍ରାମସଭା ସଂଗଠିତ କରିବା, ଆଦିବାସୀଙ୍କ ଉପରେ ଅତ୍ୟାଚାର ବନ୍ଦ କରିବା, ସମସ୍ତ ଲଘୁବନଜାତ ଦ୍ରବ୍ୟ ପାଇଁ ଏମ୍‌.ଏସ୍‌.ପି ଏବଂ ଜଙ୍ଗଲ ଜମି ପଟ୍ଟା ଥିବା ଆଦିବାସୀଙ୍କୁ ଉତ୍ପାଦିତ ସାମଗ୍ରୀର ଏମ୍‌.ଏସ୍‌.ପି. ପ୍ରଦାନ ଓ ଜାତିଗତ ପ୍ରମାଣପତ୍ର ପ୍ରଦାନ ଇତ୍ୟାଦି ଦାବି ଗୁଡ଼ିକ କରା ଯାଇଛି ।

ଖଣି ଉତ୍ତୋଳନ ଉପରେ ସଂପୂର୍ଣ୍ଣ ସରକାରୀ ନିୟନ୍ତ୍ରଣ, ବୃହତ୍ କମ୍ପାନୀ ମାନଙ୍କୁ ଦିଆଯାଉଥିବା ଖଣି ଲିଜ୍ ବାତିଲ, ଖଣି ଖନନ ଅଞ୍ଚଳରେ ବଳ ପ୍ରୟୋଗ ଜନଶୁଣାଣୀ ବନ୍ଦ ଓ ଆଦିବାସୀଙ୍କୁ ଦମନ କରିବା ବନ୍ଦ ପାଇଁ ଦାବି କରାଯାଇଛି । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୋକଙ୍କ ଧନ ଜୀବନ ସୁରକ୍ଷିତ ନୁହେଁ । ବର୍ତ୍ତମାନ ଓଡ଼ିଶା ଅପରାଧିଙ୍କ ଚରାଭୂଇଁ ପାଲଟିଛି । ମହିଳା, ଶିଶୁ ଓ ବରିଷ୍ଠ ନାଗରିକମାନେ ସବୁଠାରୁ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ସି.ପି.ଆଇ.(ଏମ୍‌) ଦାବି କରିଛି । ରାଜ୍ୟର ସାମ୍ପ୍ରଦାୟିକ ସଦ୍‌ଭାବନା ସ୍ଥିତି ଅତି ଉଦ୍‌ବେଗଜନକ ଅବସ୍ଥାରେ ରହିଛି । ଇଦ୍‌-ଉଲ୍‌-ଫିତର, ଶ୍ରୀରାମ ନବମୀ, ହନୁମାନ ଜୟନ୍ତୀ ଏବଂ ମହାବିଷୁବ ସଂକ୍ରାନ୍ତି ପ୍ରଭୃତି ଧର୍ମୀୟ ପର୍ବପର୍ବାଣୀ ଏବଂ ଉତ୍ସବରେ ଶାନ୍ତି, ସଦଭାବନାକୁ ସୁନିଶ୍ଚିତ କରିବା ପାଇଁ ସି.ପି.ଆଇ.(ଏମ୍‌) ଦାବି କରିଛି । ସି.ପି.ଆଇ.(ଏମ୍‌) ରାଜ୍ୟ ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଦୁଷ୍ମନ୍ତ କୁମାର ଦାସ ଏବଂ ପୁଷ୍ପା ଦାଶ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking