30.1 C
Bhubaneswar
Monday, October 28, 2024
Homeଓଡିଶାମାନବସେବାକୁ ଗୁରୁତ୍ୱ ଦେଇ ଟିମ୍‌ ଅର୍ବାନ୍‌ ବାତ୍ୟାରେ ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିଛି

ମାନବସେବାକୁ ଗୁରୁତ୍ୱ ଦେଇ ଟିମ୍‌ ଅର୍ବାନ୍‌ ବାତ୍ୟାରେ ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିଛି

ସମୁଦାୟ କାର୍ଯ୍ୟକଳାପରେ ମାନବସେବାକୁ ପ୍ରାଥମିକତା
ଭୁବନେଶ୍ୱର : ‘ଦାନା’ ବାତ୍ୟାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ‘ଟିମ୍‌ ଅର୍ବାନ୍‌’ର ପ୍ରଭାବୀ କାର୍ଯ୍ୟକଳାପ ଓ ପ୍ରତିରୋଧୀ ପଦକ୍ଷେପ ଫଳପ୍ରଦ ହୋଇଛି । ବିଭାଗୀୟ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଦିଗ୍‌ଦର୍ଶନରେ ‘ଟିମ୍‌ ଅର୍ବାନ୍‌’ ବିଭିନ୍ନ ପ୍ରସ୍ତୁତିରେ ସଫଳ ହୋଇଥିବାବେଳେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ନେତୃତ୍ୱରେ ଶୂନ୍ୟ ମୃତାହତକୁ ସୁନିଶ୍ଚିତ କରିପାରିଛି । ଭାରତୀୟ ପାଣିପାଗ ସଂସ୍ଥାର ବାତ୍ୟା ସୂଚନା ପାଇବା ପରେ ପରେ ବିଭିନ୍ନ ମୁନିସିପାଲ କମିଶନର ଓ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ନିର୍ବାହୀ ଅଧିକାରୀମାନେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସମନ୍ୱିତ ଭାବରେ କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଦକ୍ଷତାର ସହିତ ଲୋକମାନଙ୍କ ସୁରକ୍ଷା ତଥା ହିତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଓ ସରକାରୀ ମାର୍ଗଦର୍ଶିକା ଅନୁସାରେ ଅଧିକାରୀମାନେ କାର୍ଯ୍ୟ ପରିଚାଳନା କରିଥିଲେ ।

ଅଧିକାରୀମାନଙ୍କ ଯୋଗାଯୋଗ କୌଶଳ ଫଳରେ ସ୍ୱଚ୍ଛତାର ସହିତ ପ୍ରଭାବିତ ହେବାକୁଥିବା ଲୋକମାନଙ୍କ ସାଙ୍ଗରେ ସମୟୋପଯୋଗୀ ସଂପର୍କ ସ୍ଥାପନ କରାଯାଇଥିଲା, ସ୍ଥାନାନ୍ତର ଯୋଜନା, ଆଶ୍ରୟସ୍ଥଳ ଓ ସୁରକ୍ଷା ନିର୍ଦ୍ଦେଶାବଳୀ ଉପରେ ରିଅଲ୍‌ ଟାଇମ୍‌ ଅପ୍‌ଡେଟ୍‌ କରାଯାଇଥିବାବେଳେ ଜନସାଧାରଣଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ହ୍ରାସ ପାଇ ବିଶ୍ୱାସ ଉଦ୍ରେକ ହୋଇଥିଲା । ଅଧିକାରୀମାନେ ବୃଦ୍ଧ, ଭିନ୍ନକ୍ଷମ ଓ ପିଲାମାନଙ୍କ ସହିତ ପରିବାର ସମେତ ଅସୁରକ୍ଷିତ ଗୋଷ୍ଠୀର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ନିରାପଦ, ସୁବିଧାଜନକ ସ୍ଥାନାନ୍ତରଣ ମାର୍ଗ ଏବଂ ଆଶ୍ରୟସ୍ଥଳର ଆୟୋଜନ କରିଥିଲେ । ଆଶ୍ରୟସ୍ଥଳଗୁଡ଼ିକରେ ଆବଶ୍ୟକୀୟ ଖାଦ୍ୟ, ପାନୀୟ ଜଳ ଓ ଚିକିତ୍ସା ସାମଗ୍ରୀ ଇତ୍ୟାଦିର ବ୍ୟବସ୍ଥା ଫଳରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କର କୌଣସି ସମସ୍ୟା ସୃଷ୍ଟି ହୋଇନଥିଲା ।

ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ନିର୍ବାହୀ ଅଧିକାରୀମାନଙ୍କ ନେତୃତ୍ୱରେ ଡ୍ରେନ୍‌ ସଫା ଓ ପମ୍ପ ନିୟୋଜନ ଇତ୍ୟାଦି ପାଇଁ ସ୍ଥାନୀୟ ଇଂଜିନିୟରିଂ ଦଳ ସହ ସମନ୍ୱୟ ରକ୍ଷା କରାଯାଇଥିଲା । ଅନୁରୂପ ଭାବରେ ବାତ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ବାତ୍ୟା ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ଥାନରେ ଜମା ହୋଇଥିବା ଜଳ ନିଷ୍କାସନ କରାଯିବା ଫଳରେ ସଂକ୍ରମଣ ତଥା ବିଭିନ୍ନ ଜଳବାହିତ ରୋଗକୁ ପ୍ରତିହତ କରିବାରେ ‘ଟିମ୍‌ ଅର୍ବାନ୍‌’ ସଫଳ ହୋଇଥିଲା । ନିରାପଦ ପାନୀୟ ଜଳ ଯୋଗାଣ ସାଙ୍ଗକୁ ଟ୍ୟାଙ୍କର ଉପଯୋଗ ଏବଂ ଆଶ୍ରୟସ୍ଥଳଗୁଡ଼ିକରେ ପାନୀୟ ଜଳ ଉପଲବ୍ଧିକୁ ସୁନିଶ୍ଚିତ କରିବା ଦିଗରେ ଅଧିକାରୀମାନେ ପଦକ୍ଷେପ ଗ୍ରହଣ କରିଥିଲେ । ପାଇପଲାଇନ୍‌ କ୍ଷୟକ୍ଷତିର ସମାଧାନ ପାଇଁ ଜଳଯୋଗାଣ କର୍ତ୍ତୃପକ୍ଷଙ୍କ ସହିତ ମିଶି କାର୍ଯ୍ୟ କରିଥିଲେ, ଫଳରେ ଜଳଯୋଗାଣ ସୁନିଶ୍ଚିତ ହୋଇପାରିଥିଲା।

ବାତ୍ୟା ପରବର୍ତ୍ତୀ ସମୟରେ ପ୍ରଭୂତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ‘ଟିମ୍‌ ଅର୍ବାନ୍‌’ ରାସ୍ତା ପରିଷ୍କାର, ଅଳିଆ-ଆବର୍ଜନା ସଫେଇ ଜରିଆରେ ସଂଯୋଗୀକରଣକୁ ସୁନିଶ୍ଚିତ କରିଥିଲେ, ଫଳରେ ଜରୁରୀ ସେବାଯୋଗାଣ, ଯାନବାହନ ଚଳାଚଳ, ସାଧାରଣ ଜନତାଙ୍କ ଗମନାଗମନ ହେତୁ ସ୍ୱାଭାବିକ ଅବସ୍ଥା ଫେରିପାରିଥିଲା । ନିର୍ବାହୀ ଅଧିକାରୀମାନେ ସ୍ଥାନୀୟ ଲୋକପ୍ରତିନିଧି, ସେ୍ୱଚ୍ଛାସେବୀ ଓ ବେସରକାରୀ ସଂଗଠନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ପାରସ୍ପରିକ ସହଯୋଗର ବାତାବରଣ ସୃଷ୍ଟି କରିଥିବାରୁ ଗୋଷ୍ଠୀ ଅଂଶଗ୍ରହଣ ଓ ସମର୍ଥନ ମିଳିପାରିଥିଲା । ବାତ୍ୟା ପରେ ‘ଟିମ୍‌ ଅର୍ବାନ୍‌’ ସଫେଇ ଅଭିଯାନକୁ ତ୍ୱରାନ୍ୱିତ କରି ମୌଳିକ ସୁବିଧାସୁଯୋଗ ଫେରାଇ ଆଣିଥିଲେ ଏବଂ ଭିତ୍ତିଭୂମିଗତ କ୍ଷୟକ୍ଷତିର ଆକଳନ କରିଥିଲେ । ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଫେରାଇ ଆଣିବାରେ ସେମାନଙ୍କ ଉଦ୍ୟମ ସଫଳ ହୋଇଥିଲା ।

ଉପରୋକ୍ତ ପ୍ରୟାସଗୁଡ଼ିକ ମାଧ୍ୟମରେ ‘ଟିମ୍‌ ଅର୍ବାନ୍‌’ କେବଳ ଜୀବନ ରକ୍ଷା କରିବାରେ ନୁହେଁ ବରଂ ଏକ ସହାନୁଭୂତିଶୀଳ ଓ ସହଯୋଗଭିତ୍ତିକ ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିଲା । ସମୁଦାୟ କାର୍ଯ୍ୟକଳାପରେ ‘ଟିମ୍‌ ଅର୍ବାନ୍‌’ ମାନବସେବାକୁ ଅଗ୍ରାଧିକାର ଦେଇଥିଲା। ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଆଭାସି ମାଧ୍ୟମରେ ‘ଟିମ୍‌ ଅର୍ବାନ୍‌’ର ବାତ୍ୟା ପରବର୍ତ୍ତୀ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ । ବୈଠକରେ ଦର୍ଶାଯାଇଥିଲା ଯେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର ୧୧ଟି ସ୍ୱାୟତ୍ତ ଶାସନ ସଂସ୍ଥା ଅଧୀନରେ ୧୫୦ଟି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ଥିଲା ଏବଂ ୩୫୭୨୩ ଜଣଙ୍କୁ ନିରାପଦ ଭାବରେ ସେଠାକୁ ସ୍ଥାନାନ୍ତରିତ କରାଯାଇଥିଲା । ଶ୍ରୀମତୀ ପାଢ଼ୀ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିଗତ କ୍ଷୟକ୍ଷତିର ଆକଳନପୂର୍ବକ ତତ୍ପରତାର ସହିତ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking