ନୂଆଦିଲ୍ଲୀ: ୫୦୦ ଟଙ୍କିଆ ନୋଟକୁ ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ, ଆରବିଆଇ ସେପ୍ଟେମ୍ବର ମାସ ସୁଦ୍ଧା ୭୫ ପ୍ରତିଶତ ଏଟିଏମ୍ ରୁ କେବଳ ୧୦୦ ଓ ୨୦୦ ଟଙ୍କିଆ ନୋଟ ବାହାରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ୫୦୦ ଟଙ୍କିଆ ନୋଟ ଉପରେ ନିର୍ଭରତା କମ୍ କରିବା ପାଇଁ ଚାହୁଁଛି । ତେବେ ଭାଇରାଲ ହେଉଥିବା ଏହି ପୋଷ୍ଟ ପଛରେ କ’ଣ ଅଛି ? ଆସନ୍ତୁ ଜାଣିବା… ସୋସିଆଲ ମିଡିଆ ପୋଷ୍ଟରେ କରାଯାଉଥିବା ଏହି ଦାବି ସମ୍ପୂର୍ଣ୍ଣ ଭୁଲ୍ ଅଟେ । ଆରବିଆଇ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ୫୦୦ ଟଙ୍କାର ନୋଟ୍ ବନ୍ଦ କରିବା ବିଷୟରେ କୌଣସି ଉଲ୍ଲେଖ ନାହିଁ ।
ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡ଼ିକୁ ଏଟିଏମ୍ଗୁଡ଼ିକରେ ପର୍ଯ୍ୟାପ୍ତ ୧୦୦ ଓ ୨୦୦ ଟଙ୍କା ନୋଟ୍ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି । ଏଟିଏମ୍ ନେଟୱାର୍କ ଚଳାଉଥିବା ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଂ ପ୍ରତିଷ୍ଠାନଗୁଡ଼ିକୁ ଏହି କାମ ଧିରେ ଧିରେ କରିବାକୁ ପଡିବ । ଲୋକଙ୍କ ପାଖରେ ଛୋଟ ନୋଟ୍ ସହଜରେ ଉପଲବ୍ଧ କରିବା ପାଇଁ ଆରବିଆଇ ଏହି ନିଷ୍ପତ୍ତି ନେଇଛି । ଏହି ଘୋଷଣା ପରେ, କିଛି ଲୋକ ଅନୁମାନ କରିବା ଆରମ୍ଭ କରିଛନ୍ତି ଯେ, ଆରବିଆଇ ଧିରେ ଧିରେ ୫୦୦ ଟଙ୍କାର ନୋଟର ପ୍ରଚଳନକୁ ମଧ୍ୟ ହ୍ରାସ କରିପାରେ । କିନ୍ତୁ ଏହା ସେପରି କିଛି ନୁହେଁ । ପୂର୍ବ ପରି, ଆଗକୁ ମଧ୍ୟ ୫୦୦ ଟଙ୍କାର ନୋଟ୍ ବୈଧ ରହିବ । ପ୍ରାୟତଃ ଏଟିଏମ୍ ରୁ ୫୦୦ ଟଙ୍କିଆ ନୋଟ ବାହାରୁଥିବା ବେଳେ ୧୦୦ ଓ ୨୦୦ ଟଙ୍କିଆ ନୋଟ ଚାହୁଁଥିବା ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯାହାକୁ ନେଇ ଆରବିଆଇ ଏହି ନିଷ୍ପତ୍ତି ନେଇଛି । ଆରବିଆଇ ସର୍କୁଲାରରେ କୌଣସି ସ୍ଥାନରେ ୫୦୦ ଟଙ୍କାର ନୋଟ୍ ବନ୍ଦ ହେବା ବିଷୟରେ ଉଲ୍ଲେଖ କରାଯାଇ ନାହିଁ ।